ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲଣ୍ଡନରେ CJI ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ଛାତ୍ରଙ୍କ ହଙ୍ଗାମା । ତେବେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଶୁକ୍ରବାର ଦିନ (ଜୁନ୍ ୫) ଲଣ୍ଡନ ୟୁନିଭର୍ସିଟିର ବିର୍କବେକ୍ କଲେଜ (Birkbeck College) ରେ ଭାଷଣ ଦେଉଥିବା ବେଳେ କିଛି ଛାତ୍ରଛାତ୍ରୀ ଏହାକୁ ଅଟକାଇବାକୁ ଚେଷ୍ଟା କରିବା ସହ ଜୋରଦାର ବିରୋଧ କରିଛନ୍ତି।

ବିଶେଷ କରି ସିଜେଆଇ ନିକଟରେ ଦେଇଥିବା ବିବାଦିୟ ମନ୍ତବ୍ୟକୁ ନେଇ ସେମାନେ ପ୍ରଶ୍ନ କରିଥିଲେ, ଯାହାକୁ ମଡେରେଟର୍ ଅଧାରୁ ଅଟକାଇ ଦେଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। X’ ରେ ଭାଇରାଲ ହେଉଥିବା ଭିଡିଓ ଅନୁଯାୟୀ, ଜଣେ ଛାତ୍ରୀ ସିଜେଆଇଙ୍କୁ କହିଥିଲେ ଯେ, “ଏଆଇ ଏବଂ ଗଣତନ୍ତ୍ରକୁ ନେଇ ଆପଣ ଯେଉଁ ମନ୍ତବ୍ୟ ଦେଲେ ତାହା ବହୁତ ଗୁରୁତ୍ୱପୂର୍ଣ୍ଣ।

କିନ୍ତୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଆଇନଗତ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଯେ ଭାରତରେ ଏବେ ଅସହମତି ବା ବିରୋଧ ସ୍ୱର ପ୍ରତି ଅସହିଷ୍ଣୁତା ବଢ଼ୁଛି, ଯାହାକି ଆପଣଙ୍କ ନିକଟ ଅତୀତର ବହୁଚର୍ଚ୍ଚିତ ଭାଷଣରୁ ମଧ୍ୟ ପ୍ରତିଫଳିତ ହେଉଛି ବୋଲି କହିଥିଲେ । ସେପଟେ ଛାତ୍ରୀ ଜଣକ ନିଜ ପ୍ରଶ୍ନ ପୁରା କରିବା ପୂର୍ବରୁ କାର୍ଯ୍ୟକ୍ରମର ମଡେରେଟର୍ ତାଙ୍କୁ ମଝିରୁ ଅଟକାଇ ଦେଇଥିଲେ। ମଡେରେଟର୍ କ୍ଷମା ମାଗିବା ସହ କହିଥିଲେ ଯେ, ଆଲୋଚନାର ବିଷୟବସ୍ତୁ କେବଳ ‘ଏଆଇ ଓ ଆନ୍ତର୍ଜାତୀୟ ଆଇନ’ ଉପରେ ଆଧାରିତ ଥିବାରୁ ସେ ଏହି ପ୍ରଶ୍ନଟି ନେଇପାରିବେ ନାହିଁ। ଏହାପରେ ସେଠାରେ ଉପସ୍ଥିତ ଅନେକ ଛାତ୍ରଛାତ୍ରୀ ପ୍ରତିବାଦ ଆରମ୍ଭ କରିଦେଇଥିଲେ।