ଯେଉଁମାନେ ଆଜି ମୋତେ ‘ପପ୍ପୁ’ କହୁଛନ୍ତି ସେମାନେ ଦିନେ ମୋ ଜେଜେମାଙ୍କୁ ‘ଗୁଙ୍ଗି ଗୁଡ଼ିୟା’ କହୁଥିଲେ: ରାହୁଲ ଗାନ୍ଧୀ

ଭୁବନେଶ୍ଵର,୨୮/୧୨(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ବିରୋଧୀ ମାନେ ତାଙ୍କୁ ‘ପପ୍ପୁ’ କହିଲେ ତାଙ୍କୁ ଖରାପ୍ ଲାଗେ ନାହିଁ ବୋଲି ଏକ ସାକ୍ଷାତ୍‌କାର ସମୟରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି। ଭାରତ ଯୋଡ ଯାତ୍ରା ମହାରାଷ୍ଟ୍ରରେ ଚାଲିଥିବା ସମୟରେ ‘ଦ ବମ୍ବେ ଜର୍ନି’ ନାମକ ଏକ କାର୍ଯ୍ୟକ୍ରମରେ ସହିତ ସାକ୍ଷାତ୍‌କାର ଦେଇଥିଲେ ରାହୁଲ। ଏହି ସାକ୍ଷାତକାର ସମୟର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଏହି ସାକ୍ଷାତକାର ସମୟରେ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଯେତେବେଳେ ଆପଣଙ୍କ ବିରୋଧୀ ମାନେ ଆପଣଙ୍କୁ ‘ପପ୍ପୁ’ ବୋଲି ଡାକନ୍ତି ଆପଣଙ୍କୁ ଖରାପ୍ ଲାଗେ କି ନାହିଁ। ଉତ୍ତରରେ ରାହୁଲ କହିଛନ୍ତି ଯେ, ନା, ଆଦୌ ନୁହେଁ। ଏଇଟା ସେମାନଙ୍କ ମନର କଥା। ଏ କଥା ତାଙ୍କ ମନରେ ଥିବା ଡରର ପରିପ୍ରକାଶ। ସେମାନେ ସୁଖୀ ନୁହନ୍ତି। ସେମାନେ ମତେ ଯେତେ ନାଁରେ ଡାକିଲେ ବି ମୁଁ ଖୁସି। ଅନୁଗ୍ରହ କରି ମତେ ବହୁତ ପ୍ରକାର ନାଁରେ ଡାକନ୍ତୁ।

ସାକ୍ଷାତ୍‌କାରରେ ଇନ୍ଦିରା ଗାନ୍ଧୀଙ୍କ ପ୍ରସଙ୍ଗରେ କହିବା ବେଳେ ରାହୁଲ୍‌ କହିଛନ୍ତି ଯେ, ମୋ ଜେଜେମାଙ୍କୁ ମଧ୍ୟ ଆଗରୁ ‘ଜାଡ଼ୀ କଣ୍ଢେଇ’ (ଗୁଙ୍ଗି ଗୁଡ଼ିୟା) ବୋଲି କୁହାଯାଉଥିଲା। ଆଉ ଯେଉଁ ଲୋକ ମାନେ ମୋତେ ଆଜି ‘ପପ୍ପୁ’ ବୋଲି ଡାକୁଛନ୍ତି ସେମାନେ ହିଁ ମୋ ଜେଜେମାଙ୍କୁ ‘ଗୁଙ୍ଗି ଗୁଡ଼ିୟା’ ବୋଲି କହୁଥିଲେ। ହେଲେ ତାଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ହଠାତ୍‌ ‘ଗୁଙ୍ଗି ଗୁଡ଼ିୟା’ ରୁ ‘ଲୌହ ମାନବୀ’ ରେ ପରିଣତ କରିଥିଲା। ପ୍ରକୃତରେ ସେ ସବୁ ଦିନ ‘ଲୌହ ମାନବୀ’ ହିଁ ଥିଲେ। ତେଣୁ ଆପଣଙ୍କର ଯାହା ଇଚ୍ଛା ମତେ ତାହା ଡାକନ୍ତୁ। ମୁଁ ପରବାୟ କରେନାହିଁ ବୋଲି ରାହୁଲ କହିଛନ୍ତି।

ଇନ୍ଦିରା ଗାନ୍ଧୀଙ୍କ ଗୁଣ ଭଳି ଗୁଣ ଥିବା କୌଣସି ମହିଳାଙ୍କୁ ଜୀବନ ସଙ୍ଗିନୀ କରିବେ କି ବୋଲି ପଚରାଯିବାରୁ ରାହୁଲ୍‌ କହିଲେ, ମଜାଦାର ପ୍ରଶ୍ନ। ମାଆ ଓ ଜେଜେମାଙ୍କ ଗୁଣ ସମିଶ୍ରଣ ଖୁବ୍‌ ଉତ୍ତମ। ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ରାହୁଲ୍‌ ପୁଣି କହିଛନ୍ତି, ସେ ଥିଲେ ମୋ ଜୀବନର ଶ୍ରଦ୍ଧା। ମୋର ଦ୍ବୀତିୟ ମାତା।

Related Posts