
ଇତିହାସ ରଚିଛି ବିଜେଡ଼ି । ନିଜ ରେକର୍ଡ ସେ ନିଜେ ଭାଙ୍ଗିଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଛି । ବିରୋଧୀଙ୍କୁ ମାତ ଦେଇ ବହୁତ୍ ଆଗରେ ରହିଛି ବିଜେଡ଼ି। ସେପଟେ ବିଜେଡିର ଏହି ବିଜୟ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ନିଜର ଟୁଇଟରରେ ଲେଖିଛନ୍ତି, ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ମୋର ଶୁଭେଚ୍ଛା।
ସୂଚନାଯୋଗ୍ୟ, ଏଯାବତ୍ ଘୋଷିତ ୮୪୫ ଜିଲ୍ଲାପରିଷଦ ଜୋନ୍ ମଧ୍ୟରୁ ବିଜେଡି ୭୫୯, ବିଜେପି ୪୨, କଂଗ୍ରେସ ୩୭, ସ୍ବାଧୀନ ୩ ଓ ଅନ୍ୟାନ୍ୟ ୪ଟି ଜୋନରେ ବିଜୟୀ ହୋଇଛି।। ଆଉ ୬ଟି ଜୋନର ଫଳ ପ୍ରକାଶ ବାକି ଅଛି। ତେବେ ବିଜେଡି ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବ ବୋଲି ସ୍ପଷ୍ଟ ହୋଇଛି।