ରୋମ୍: ରବିବାର ଦିନ ରୋମ୍ରେ ଗୋଟାଏ ଆପାର୍ଟମେଣ୍ଟ୍ ବ୍ଲକ୍ର ବାସିନ୍ଦାମାନଙ୍କର ବୈଠକ ଚାଲିଥିବା ବେଳେ ଅଘଟଣ ଘଟିଛି । ଜଣେ ବନ୍ଧୁକଧାରି ପିସ୍ତଲ ବାହାର କରି ଗୁଳି ଚଳାଇବାରୁ ଇଟାଲିର ପ୍ରଧାନମନ୍ତ୍ରୀ ଜୋର୍ଜା ମେଲୋନିଙ୍କ ବାନ୍ଧବୀଙ୍କ ସମେତ ୩ଜଣ ମହିଳାଙ୍କର ମୃତ୍ୟୁ ଘଟିଛି।
ରବିବାର ସନ୍ଧ୍ୟା ବେଳେ ନିଜେ ମେଲୋନି ଉକ୍ତ ଗୁଳିକାଣ୍ଡରେ ନିହତ ହୋଇଥିବା ବାନ୍ଧବୀ ନିକୋଲିଟା ଗୋଲିସାନୋଙ୍କ ସହିତ ପୂର୍ବରୁ ଉଠାଇଥିବା ଗୋଟାଏ ଫଟୋ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରିଛନ୍ତି। ଫଟୋ ପାଖରେ ମେଲୋନି ଲେଖିଛନ୍ତି: ମୋ ଲାଗି ସଦାସର୍ବଦା ସେ ଏମିତି ସୁନ୍ଦର ଓ ସୁଖୀ ହୋଇ ରହିଥିବେ। ଏମିତି ମରିବା ଭଲ ନୁହେଁ।
ରୋମ୍ ନଗରୀର ଫିଦେନେ ଜିଲ୍ଲାରେ ଥିବା ଗୋଟାଏ ବାର୍ରେ ଚାଲିଥିବା ବୈଠକରେ ଗୁଳି ଚଳାଇଥିବା ୫୭ ବର୍ଷିୟ ଉକ୍ତ ବ୍ୟକ୍ତିଙ୍କୁ ଆପାର୍ଟମେଣ୍ଟ୍ ବାସିନ୍ଦାମାନେ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ତାଙ୍କୁ ଗିରଫ କରିଛି।
ଜଣେ ପ୍ରତ୍ୟକ୍ଷଦର୍ଶୀ ‘ରାଇ ନିଉଜ୍’କୁ କହିଛନ୍ତି, ସନ୍ଦିଗ୍ଧଜଣକ ସ୍ଥାନୀୟ ବ୍ୟକ୍ତି ଏବଂ ବାସିନ୍ଦା ସଂଘ ସହିତ ତାଙ୍କର ଅନେକ ବିବାଦ ଥିଲା।
ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବକ୍ତବ୍ୟ ଉଦ୍ଧାର କରି ଇଟାଲୀୟ ନିଉଜ୍ ଏଜେନ୍ସି ‘ଆନ୍ସା’ ଲେଖିଛି: ସେ କୋଠରି ଭିତରେ ପ୍ରବେଶ କରି କବାଟ ବନ୍ଦ କରିବା ପରେ ବଡ଼ ପାଟିରେ କହିଲେ, ମୁଁ ସମସ୍ତଙ୍କୁ ମାରି ପକାଇବି, ଆଉ ତା’ପରେ ଗୁଳି ଚଳାଇଲେ।
ତାଙ୍କ ଗୁଳି ଚୋଟରେ ଆଉ ଚାରିଜଣ ବ୍ୟକ୍ତ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟୂନ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି।
ମେଲୋନି କହିଛନ୍ତି, ଯେଉଁ ସ୍ଥାନରୁ ସନ୍ଦିଗ୍ଧ ଆକ୍ରମଣରେ ବ୍ୟବହାର କରିଥିବା ପିସ୍ତଲ୍ ଆଣିଥିଲେ ତାହାକୁ ବନ୍ଦ କରାଯାଇଛି। ସରକାରୀ କର୍ତ୍ତୃପକ୍ଷମାନେ ତଦନ୍ତ କରୁଛନ୍ତି
