ପୁଲିସ ଆଜି ଯାଏଁ ନ୍ୟାୟ ଦେଇପାରୁନି, କିନ୍ତୁ ଗୁଣ୍ଡାରାଜ କରୁଛି: ରୁଚିକା ମହାନ୍ତିଙ୍କ ମାଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେବି କଲେଜର ଛାତ୍ରୀ ରୁଚିକାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି। ସେପଟେ ଏହି ଘଟଣାର ତଦନ୍ତ ଆଉ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି ରେ ରୁଚିକାଙ୍କ ମାଆ ବାପା କଲେଜ ଆଗରେ ଧାରଣା ଦେଇଥିଲେ। ହେଲେ ଏହା ମଧ୍ୟରେ ନ୍ୟାୟ ଦାବିରେ ଧାରଣାରେ ବସିଥିବା ମାଆଙ୍କୁ ଉଠାଇ ନେଇଛି ପୋଲିସ । ଆଜି ରୁଚିକାଙ୍କ ଦଶାହ ଥିବାରୁ କଲେଜ ଆଗରେ କର୍ମ ହେବା ପାଇଁ ସ୍ଥିର ହୋଇଥିଲା । ଏଥିପାଇଁ କଲେଜ ଆଗରେ ରୁଚିକାଙ୍କ ମାଆ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନର ସଦସ୍ୟ ଉପସ୍ଥିତ ଥିଲେ । କିନ୍ତୁ ଏକାଦଶାହ କର୍ମ ହେବା ପୂର୍ବରୂ ରୁଚିକାଙ୍କ ମାଆ ସମେତ ସମସ୍ତ ଆନ୍ଦୋଳନକାରୀଙ୍କୁ ପୁଲିସ୍ ଉଠାଇ ନେଇଛି । ଏ ନେଇ ରୁଚିକାଙ୍କ ମାଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏତେ ଦିନ ହେଲାଣି ଝିଅର ମୃତ୍ୟୁକୁ । ହେଲେ ପୋଲିସ ଆଜି ଯାଏଁ ନ୍ୟାୟ ଦେଇପାରୁନି, ଗୁଣ୍ଡାରାଜ କରୁଛି । ସେପଟେ ଝିଅକୁ ନ୍ୟାୟ ଦେବା ପାଇଁ ଧାରଣାରେ ବସିଥିବା ମାଆଙ୍କୁ ଘୋଷାଡି ଘୋଷାଡି ନେଉଥିଲେ ପୋଲିସ ।

ମାଆ ବାରମ୍ବାର ନ୍ୟାୟ ଦାବି କରୁଥିଲେ ବି ପୋଲିସ୍ କିନ୍ତୁ କିଛି ଶୁଣିନଥିଲା । ରୁଚିକାଙ୍କ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ ଉଠାଇ ନେଇଛି ପୋଲିସ । ପୋଲିସ୍ କଲେଜ ଆଗରେ ହୋଇଥିବା ଟେଣ୍ଟକୁ ମଧ୍ୟ ଭାଙ୍ଗି ଦେଇଛି । ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସର ଛାନ୍ଭିନ୍ ଦଶମ ଦିନରେ ପହଞ୍ଚିଛି । ମାତ୍ର ଏପର୍ଯ୍ୟନ୍ତ ପୋଲିସ ରାଗିଂ କରିଥିବା ୩ ସିନିୟର ଛାତ୍ରୀଙ୍କୁ ଚିହ୍ନଟ କରିପାରିନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts