ଆଜି ଟାଟା ସନ୍ସର ପୂର୍ବତନ ମୁଖ୍ୟ ସାଇରସ୍ ମିସ୍ତ୍ରୀଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ଆଜି ଟାଟା ସନ୍ସର ପୂର୍ବତନ ମୁଖ୍ୟ ସାଇରସ୍ ମିସ୍ତ୍ରୀଙ୍କ ଶେଷକୃତ୍ୟ । ଆଜି ପଞ୍ଚଭୂତରେ ବିଲୀନ ହେବେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟାଟା ସନ୍ସର ପୂର୍ବତନ ମୁଖ୍ୟ ସାଇରସ୍ ମିସ୍ତ୍ରୀ । ଆଜି ମୁମ୍ବାଇ ସ୍ଥିତ ୱର୍ଲି ଶ୍ମଶାନ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

ଦିନ ୧୧ଟା ସମୟରେ ତାଙ୍କର ଅନ୍ତିମ ସତ୍କାର କରାଯିବାକୁ ଥିବାବେଳେ ସୋମବାର ରାତିରେ ତାଙ୍କର କେତେକ ପରିବାର ସଦସ୍ୟ ମୁମ୍ବାଇରେ ପହଞ୍ଚିଛନ୍ତି । ସାଇରସ୍ ମିସ୍ତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ରବିବାର ଦିନ ମହାରାଷ୍ଟ୍ରର ପାଲଘରଠାରେ ସଡକ ଦୁର୍ଘଟଣାରେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ଅକାଳ ନିଧନ ହୋଇଥିଲା । ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମୋର୍ଟମ ରିପୋର୍ଟରୁ ସୂଚନା ମିଳିଛି । ଏହା ସହିତ ଦ୍ରୁତ ଗତିରେ ଗାଡି ଚଳାଇବାରୁ ତାଙ୍କର ଦୁର୍ଘଟଣା ଘଟିଛି । ସେ ୯ ମିନିଟରେ ୨୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ ଏବଂ କାର୍‌ରେ ସିଟ୍‌ ବେଲ୍ଟ ପିନ୍ଧି ନଥିବା ଜଣାପଡିଛି । ଦୁର୍ଘଟଣା ଘଟିବା ପରେ ସାଇରସ ମିସ୍ତ୍ରୀ ଓ ତାଙ୍କ ବନ୍ଧୁଙ୍କୁ ଜାହାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସାଇରସ୍ ମିସ୍ତ୍ରୀ ମର୍ସିଡିଜ ବେଞ୍ଜ କମ୍ପାନୀର ଦାମୀ କାର୍‌ରେ ଯାତ୍ରା କରୁଥିଲେ । ମର୍ସିଡିସ୍ ବେଞ୍ଜର ପଛ ଧାଡିରେ ସାଇରସ୍ ବସିଥିଲେ । ଗାଡିରେ ତାଙ୍କ ସହ ମୋଟ୍‌ ୪ ଜଣ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲେ । ପୋଲିସର ସୂଚନା ଅନୁଯାୟୀ, ତାଙ୍କର ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଡିଭାଇଡର ସହ ଧକ୍କା ଦେଇଥିଲେ । ମିସ୍ତ୍ରୀଙ୍କ ସମେତ ଅନ୍ୟଜଣଙ୍କୁ ମିଶାଇ ୨ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଅନ୍ୟ ଦୁଇ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related Posts