ଭୁବନେଶ୍ୱର : ଆଜି ପବିତ୍ର ଅଶୋକାଷ୍ଟମୀ । ଏନେଇ ଚଳଚଂଚଳ ପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ର | ଦୀର୍ଘ ଦୁଇ ବର୍ଷ ପରେ ଆଜି ଭକ୍ତ ଭଗବାନଙ୍କର ହେବ ଭେଟ ଘାଟ । ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥରେ ବସି ମାଉସୀ ଘରକୁ ଯିବେ ଶ୍ରୀଲିଙ୍ଗରାଜ । ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ରଥ ଟଣା । ଏହା ପୂର୍ବରୁ ଗତକାଲି ମରିଚିକୁଣ୍ଡ ଜଳରେ ରଥ ପ୍ରତିଷ୍ଠା ହୋଇଛି। ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡ ପାଣି ମୋଟ ୧ ଲକ୍ଷ ୭୭ ହଜାର ଟଙ୍କାରେ ନିଲାମ ହୋଇଛି। ପ୍ରଥମ ଘଡ଼ା ୧ ଲକ୍ଷ ୩୦ ହଜାର ଟଙ୍କା ଓ ଦ୍ୱିତୀୟ ଘଡ଼ା ୪୭ ହଜାର ଟଙ୍କାରେ ନିଲାମ ହୋଇଛି। ବଡୁ ନିଯୋଗ ପକ୍ଷରୁ ନିଲାମ ଡକାଯାଇଥିଲା।
ଖବର ଅନୁଯାୟୀ, ଭୋରରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇ ଯାଇଛି । ଆଜି ଅପରାହ୍ଣ ୩ଟା ୩୦ରେ ହେବ ଶ୍ରୀଲିଙ୍ଗରାଜଙ୍କ ରଥ ଟଣା। ଯାତ୍ରାପୂଜା ପାଇଁ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ନୀତି ନିର୍ଘଣ୍ଟ ହୋଇଛି। ଅପରାହ୍ଣ ୧୨ଟା ୩୦ରୁ ଦେଢଟା ମଧ୍ୟରେ ଠାକୁରଙ୍କ ପହଣ୍ଡି ହେବ। ପରେ ଠାକୁର ରଥାରୁଢ ହେବେ। ରଥ ଉପରେ ୧ଟା ୩୦ରୁ ୩ଟା ୩୦ ମଧ୍ୟରେ ଠାକୁରଙ୍କର ପୂଜା ହେବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ। ୫ ଦିନ ଧରି ହେବାକୁଥିବା ରୁକୁଣା ରଥଯାତ୍ରା ପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ଏଥର ଭକ୍ତଙ୍କ ଗହଳିରେ ଗଡିବ ରୁକୁଣା ରଥ। ଦୀର୍ଘ ଦୁଇ ବର୍ଷ ପରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ସାମିଲ ହେବେ ଭକ୍ତ । ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି ।
ସେହିପରି ରଥ ଟଣା ବେଳେ ଭିଡ ଅଧିକ ହେବ ବୋଲି ଆକଳନ କରାଯାଉଛି । ତେଣୁ ଏଥର ଯାତ୍ରାରେ ଭକ୍ତଙ୍କ ସୁରକ୍ଷା ସହ ଶାନ୍ତିଶୃଙ୍ଖଳାକୁ ଅଗ୍ରାଧିକାର ଦିଆଯାଇଛି । ସେପଟେ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ ଆଜି ଓ ୧୩ତାରିଖ ଦିନ ଦିନ ମାଉସୀ ମା’ ଛକଠାରୁ ରଥ ରୋଡ୍ ପର୍ଯ୍ୟନ୍ତ ଗାଡି ଚଳାଚଳ ଉପରେ କଟକଣା ଜାରି ହୋଇଛି।