୧୦ରୁ ୧୪ ତାରିଖ ଯାଏ ଉପକୂଳରେ କାଳବୈଶାଖୀ ଆଶଙ୍କା: ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ | ଅସହ୍ୟ ଗରମରେ କଲବଲ ହେଉଛନ୍ତି ରାଜ୍ୟ ବାସୀ | ତେବେ ଆସନ୍ତା ୧୩ ତାରିଖ ପରେ ରାଜ୍ୟରେ ତାତି ବଢିବା ଆଶଙ୍କା ଥିବା ବେଳେ, ଆଭ୍ୟନ୍ତରୀଣ ଓଡିଶାରେ ୧୩ରୁ ୧୭ ଯାଏ ୨ଡିଗ୍ରୀ ତାପମାତ୍ରା ବଢ଼ିବ । ଉପକୂଳରେ ବି ୧୩ ତାରିଖ ପରେ ତାତି ବଢ଼ିଯିବ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।

ସେପଟେ ୧୦ରୁ ୧୪ ତାରିଖ ଯାଏ ଉପକୂଳରେ କାଳବୈଶାଖୀ ହେବାର ଆଶଙ୍କା ରହିଛି । ୧୩, ୧୪ ଓ ୧୫ରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡାରେ ବର୍ଷା ସମ୍ଭାବନା ଅଧିକ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ସେହିଭଳି ୯ରୁ ୧୨ ତାରିଖ ଯାଏ ରାଜ୍ୟର ଉତ୍ତର ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୦ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ହେବ | ଏହାସହ ଯେକୌଣସି ପରିସ୍ଥିତି ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲଫ୍‌ କମିସନର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ, କେତେକ ସ୍ଥାନରେ ବଜ୍ରପାତ ଓ କାଳବୈଶାଖୀ ବର୍ଷା ନେଇ ୟେଲୋୱାର୍ଣ୍ଣିଂ ଜାରି କରାଯାଇଥିଲା ।

ଶନିବାର ବୌଦ୍ଧର ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ରେକର୍ଡ ହୋଇଛି । ଅନୁଗୁଳରେ ୪୦.୭, ସୋନପୁରରେ ୪୦.୪, ତାଳଚେରରେ ୪୦.୨ ଓ ବାରିପଦାରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗୋପାଳପୁର, ପୁରୀ, ଅନୁଗୁଳ, ପାରାଦୀପ ଓ ଭୁବନେଶ୍ୱରର ତାପମାତ୍ରା ଅପେକ୍ଷାକୃତ କମ୍‌ ରହିଛି । ତେବେ ଫୁଲବାଣୀରେ ଅଧିକ ବର୍ଷା ହୋଇଛି । ଏଠାରେ ୪୭.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ତାତି ବଢିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଦିନରେ ଆକାଶ ନିର୍ମଳ ରହିବ ଓ ଟାଣ ଖରା ହେବ । ଅପରାହ୍‌ଣ ଆଡ଼କୁ ପାଗ ଆଂଶିକ ମେଘୁଆ ରହିପାରେ । ଦିନର ସର୍ବୋଚ୍ଚ ତାପମାତ୍ରା ୩୭ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ପାଖାପାଖି ରହିବ ବୋଲି କେନ୍ଦ୍ର କହିଛି ।

Related Posts