
ପର୍ଥ : ଆଜିଠୁ ଆରମ୍ଭ ଟି- ଟ୍ବେଣ୍ଟି କ୍ରିକେଟ୍ ବିଶ୍ୱକପ୍ । ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ର ଏହା ଅଷ୍ଟମ ସଂସ୍କରଣ । ମୋଟ ୧୬ଟି ଦେଶକୁ ନେଇ ଖେଳାଯିବ ଏହି ମ୍ୟାଚ୍ । ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମ୍ ରେ ଖେଳାଯିବ ।
ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଫଟାଫଟ କ୍ରିକେଟ୍।
ତେବେ ରବିବାରଠୁ ପ୍ରଥମ ରାଉଣ୍ଡ୍ ଆରମ୍ଭ ହେଉଥିବା ବେଳେ ୨୨ ତାରିଖରୁ ସୁପର-୧୨ ରାଉଣ୍ଡ ଖେଳାଯିବ। ଆଇସିସି ମାନ୍ୟତା ଭିତ୍ତିରେ ୮ ଦଳ ସୁପର-୧୨କୁ ସିଧାସଳଖ ଯୋଗ୍ୟତା ହାସଲ କରିସାରିଥିଲା ବେଳେ ପ୍ରଥମ ରାଉଣ୍ଡରୁ ପ୍ରତି ଗ୍ରୁପ୍ ର ଦୁଇ ଶ୍ରେଷ୍ଠ ଦଳ ମୁଖ୍ୟ ପ୍ରତିଯୋଗିତାରେ ସାମିଲ ହେବେ। ଭାରତ ତା’ର ଅଭିଯାନ ୨୩ ତାରିଖରେ ପାକିସ୍ତାନ ବିପକ୍ଷରେ ମେଲ୍ବର୍ଣ୍ଣରେ ଆରମ୍ଭ କରିବ। ପ୍ରଥମ ରାଉଣ୍ଡରେ ଥିବା ୮ ଦଳକୁ ଦୁଇଟି ଗ୍ରୁପ୍ ରେ ରଖାଯାଇଛି।
ପ୍ରଥମ ରାଉଣ୍ଡ୍ ଲାଗି ଗ୍ରୁପ୍ ‘ଏ’ରେ ଶ୍ରୀଲଙ୍କା, ନେଦରଲାଣ୍ଡ୍ସ, ନାମିବ୍ୟା, ୟୁଏଇ ଏବଂ ଗ୍ରୁପ୍ ‘ବି’ରେ ୱେଷ୍ଟଇଣ୍ଡିଜ୍, ସ୍କଟଲାଣ୍ଡ୍ , ଜିମ୍ବାୱେ, ଆୟର୍ଲାଣ୍ଡ ରହିଛନ୍ତି। ଉଭୟ ଗ୍ରୁପ୍ ରୁ ଶୀର୍ଷ ୨ ଦେଶକୁ ନେଇ ମୋଟ ୪ ଦଳ ସୁପର୍ ୧୨ ପର୍ଯ୍ୟାୟକୁ ଉନ୍ନୀତ ହେବା ପରେ ଶନିବାରଠାରୁ ମୁଖ୍ୟ ପ୍ରତିଯୋଗିତା ଆରମ୍ଭ ହେବ। ପୂର୍ବରୁ ସୁପର୍ -୧୨ ପର୍ଯ୍ୟାୟରେ ସିଧାସଳଖ ଖେଳିବାକୁ ଅପେକ୍ଷା କରିଛନ୍ତି ଆୟୋଜକ ଅଷ୍ଟ୍ରେଲିଆ ସହିତ ନ୍ୟୁଜିଲାଣ୍ଡ୍ , ଭାରତ, ପାକିସ୍ତାନ, ଇଂଲଣ୍ଡ, ଆଫଗାନିସ୍ତାନ, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ।