ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ସନ୍ଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ଏହି କ୍ୟାବିନେଟ୍ ବୈଠକରେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ ସମତେ ଅନ୍ୟ ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମ‌ୋହର ବାଜିଛି । ୪ଟି ଜିଲ୍ଲାର ୧୧ଟି ବ୍ଲକ ଲାଗି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରି ମିଳିଛି। ନୟାଗଡ଼, ବରଗଡ଼, ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଯୋଡ଼ାଯାଇଛି।

କଳାହାଣ୍ଡି ଜିଲ୍ଲାର କୋକସରା ଓ ଥୁଆମୂଳ ରାମପୁର ବ୍ଲକର ୪୮ଟି ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ। ୨୪୮ କୋଟି ୯୧ ଲକ୍ଷ ୫ ହଜାର ଟଙ୍କାରେ ବିନିଯୋଗ ହେବାକୁ ଥିବା ପ୍ରକଳ୍ପ ୨୪ ମାସ ମଧ୍ୟରେ ନିର୍ମାଣ କାମ ଶେଷ ହେବ। ଖୋର୍ଦ୍ଧା ଜିଲ୍ଲା‌ର ୪ଟି ବ୍ଲକରେ ପାନୀୟ ପ୍ରକଳ୍ପର ନିର୍ମାଣ ହେବ। ମୋଟ ୬୩ଟି ପଞ୍ଚାୟତର ୩୫୬ଟି ଗ୍ରାମବାସୀ ଏଥିରୁ ଉପକୃତ ହେବେ। ବରଗଡ଼ ଜିଲ୍ଲାର ୩ଟି ବ୍ଲକର ୩୧୬ ଗ୍ରାମକୁ ପାନୀୟ ଜଳ ପ୍ରକଳ୍ପରେ ଯୋଡ଼ାଯାଇଛି। ସେହିଭଳି ନୟାଗଡ଼ ଜିଲ୍ଲାର ୨ଟି ବ୍ଲକ ଅଧିନରେ ଥିବା ୭୩ଟି ପଞ୍ଚାୟତର ୪୨୯ଟି ଗାଁରେ ୩ ଲକ୍ଷ ୮ ହଜାର ୨୩୧ ଜଣ ଲୋକଙ୍କ ପାଇଁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ।

ଓଡ଼ିଶା ସରକାର କର୍ମଚାରୀ ପ୍ରବରଣ ଆୟୋଗ ଦ୍ବାରା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଖ-ବର୍ଗ ଅନ୍ତର୍ଗତ ବିଭିନ୍ନ ସ୍ବତନ୍ତ୍ର ସେବା ଓ ପଦବିରେ ନିଯୁକ୍ତ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ସମାପନ କରିବା ପାଇଁ ରାଜ୍ୟ ସରକାର ଉପରୋକ୍ତ ନିୟମାବଳୀର ପ୍ରଣୟନ କରିଛନ୍ତି।

ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ପାଇଁ ବଡ଼ ଘୋଷଣା କରିଥିଲେ। ସେ କହିଥିଲେ ଯେ, ରାଜ୍ୟରୁ ଠିକା ନିଯୁକ୍ତିର ଯୁଗ ଶେଷ ହୋଇଛି। ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିିକ କର୍ମଚାରୀଙ୍କ ନିଯୁକ୍ତି ନିୟମିତ ହେବ। ଏହା ଦ୍ବାରା ୫୭ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ଉପକୃତ ହେବେ। ରାଜ୍ୟ ସରକାର ଏଥି ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୧୩ ଶହ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ତେବେ ଏନେଇ ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।

Related Posts