ଆଜି ତୃତୀୟ ଟ୍ବେଣ୍ଟି-୨୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଶେଷ ମ୍ୟାଚ୍

ଇନ୍ଦୋର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ଆଜି ଶେଷ ମ୍ୟାଚ୍‌ । ଭାରତ ପୂର୍ବରୁ ସିରିଜ୍ କବଜା କରି ସାରିଥିବା ବେଳେ, ବଡ଼ ଆଶ୍ବସ୍ତି ପାଇଛି। କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କେବେ ବି ଘରୋଇ ମାଟିରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିନଥିଲା। ଏବେ ଭାରତୀୟ ଦଳର ନଜର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଉପରେ ପଡ଼ିଛି।

ଏହି ମ୍ୟାଚ୍‌ ଖେଳିବାର ଗୋଟିଏ ଦିନ ବ୍ୟବଧାନ ପରେ ଅର୍ଥାତ୍‌ ଗୁରୁବାର ରୋହିତ ଶର୍ମାଙ୍କ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବାକୁ। ୧୨ ମାସ ତଳେ ୟୁଏଇରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ଭାରତ ଆଗୁଆ ବିଦାୟ ନେବାର ଲଜ୍ଜା ପାଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ଏକ ବିଶ୍ବକପ୍‌ ଖେଳିବାକୁ ଯାଉଥିବାରୁ ଏଥର ବଡ଼ ଆଶା ରହିଛି। ଭାରତର ଶୀର୍ଷ ୩/୪ ବ୍ୟାଟର୍‌ ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଫର୍ମରେ ଥିବାରୁ ଭାରତୀୟ ଶିବିର ମଧ୍ୟ ଆତ୍ମବିଶ୍ବାସ ପାଇଛି। ବିରାଟ କୋହଲି କିନ୍ତୁ ମଙ୍ଗଳବାର ମ୍ୟାଚ୍‌ ନ ଖେଳି ବିଶ୍ରାମ ନେଇଛନ୍ତି। ରବିବାର ରାତି ମ୍ୟାଚ୍‌ ପରେ ସେ ସିଧା ମୁମ୍ବାଇ ଫେରିଯାଇଛନ୍ତି। ସେଠାରେ ଗୁରୁବାର ସେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଯାତ୍ରା ପୂର୍ବରୁ ସାମିଲ ହୋଇଯିବେ।

ଏସିଆ କପ୍‌ ପରଠାରୁ ବିରାଟ କୋହଲି ୧୪୧.୭୫ ଷ୍ଟ୍ରାଇକ୍‌ରେଟ୍‌ରେ ବ୍ୟାଟିଂ କରି ପ୍ରଭାବ ଛାଡ଼ିଛନ୍ତି। ୧୦ ପାଳିରୁ ୩ ଅର୍ଦ୍ଧଶତକ, ୧ ଶତକ ସହିତ ୪୦୪ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କ ଅନୁପସ୍ଥିତିରେ ମଙ୍ଗଳବାର ଶ୍ରେୟସ ଆୟର ଖେଳିବା ସମ୍ଭାବନା ରହିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ବିଶ୍ରାମ ଦେଇ ଆୟରଙ୍କୁ ଖେଳାଯାଇପାରିବ। ପନ୍ତ୍‌ ଏହି ଶୃଙ୍ଖଳାରେ ବ୍ୟାଟିଂ ସୁଯୋଗ ପାଇନାହାନ୍ତି। ଯଶପ୍ରୀତ୍ ବୁମରାଙ୍କ ଅନୁପସ୍ଥିତି କିନ୍ତୁ ଭାରତର ବୋଲିଂ ଚିନ୍ତା ବଢ଼ାଇ ଦେଇଛି। ବିଶେଷ କରି ଡେଥ୍‌ ଓଭରରେ ଦଳ ରନ୍‌ ବ୍ୟୟକୁ ରୋକି ପାରୁନାହିଁ। ଦୀପକ ଚହର ଭଲ ବୋଲିଂ କରୁଛନ୍ତି ଏବଂ ବିଶ୍ବକପ୍‌ ସଂରକ୍ଷିତ ତାଲିକାରେ ଥିବାରୁ ତାଙ୍କୁ ମଧ୍ୟ ଡେଥ୍‌ ଓଭରରେ ପରୀକ୍ଷା କରାଯିବା ବେଳ ଆସିଛି। ବୁମରାଙ୍କ ଅନୁପସ୍ଥିତିରେ ହୋଲ୍‌କର ଷ୍ଟାଡିୟମ୍‌ରେ ମହମ୍ମଦ ସିରାଜଙ୍କୁ ମଧ୍ୟ ମ୍ୟାଚ୍‌ ମିଳିବା ସମ୍ଭାବନା ରହିଛି। ଅର୍ଶଦୀପ ସିଂହ ଉଭୟ ନୂଆ ଓ ପୁରୁଣା ବଲରେ ଭଲ କରୁଥିଲେ ମଧ୍ୟ ରବିବାର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଆର୍‌ ଅଶ୍ବିନ୍‌ଙ୍କୁ ଗୋଟିଏ ହେଲେ ୱିକେଟ୍ ମିଳିନଥିବାରୁ ଅନ୍ୟତମ ଚିନ୍ତାର କାରଣ ହୋଇଛି। ଦ୍ବିତୀୟ ଦିନିକିଆରେ ପରାଜୟ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ୨୨୧ ରନ୍‌ ସ୍କୋର୍ କରିବା ଏବଂ ଡେଭିଡ୍‌ ମିଲର୍‌-କ୍ବିଣ୍ଟନ୍ ଡି’କକ୍‌ଙ୍କ ୯୦ ବଲ୍‌ ୧୭୪* ରନ୍‌ ଭାଗୀଦାରି ଭ୍ରମଣକାରୀ ଦଳ ଭିତରେ ବିଶ୍ବାସ ଭରିଛି। ଅଧିନାୟକ ତେମ୍ବା ବଭୂମାଙ୍କ ଖରାପ ଫର୍ମ ଦକ୍ଷିଣ ଆଫ୍ରିକା ପାଇଁ ମୁଖ୍ୟ ଚିନ୍ତାର କାରଣ ହୋଇଛି। ଗୁରୁବାରଠାରୁ ଦିନିକିଆ ଶୃଙ୍ଖଳା ଖେଳିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ଟ୍ବେଣ୍ଟି-୨୦ରେ ସାନ୍ତ୍ବନାମୂଳକ ବିଜୟ ଆଶାରେ ରହିବ।

Related Posts