ରସଗୋଲା ଦେଇ ଆଜି ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ପ୍ରଭୁ ଶ୍ରୀଜଗନ୍ନାଥ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରସଗୋଲା ଦେଇ ଆଜି ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ପ୍ରଭୁ ଶ୍ରୀଜଗନ୍ନାଥ । ସେପଟେ ପ୍ରତିବର୍ଷ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏହାସହ ସାରା ବିଶ୍ୱରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଏ । ଅନ୍ୟପଟେ ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ‘ନୀଳାଦ୍ରିବିଜେ’ । ଶ୍ରୀଗୁଣ୍ଡିଚା ମନ୍ଦିରରେ ରହଣି ପରେ ବାହୁଡା ଦଶମୀ ଦିନ ଠାକୁରମନେ ଶ୍ରୀମନ୍ଦିର ସିଂହଦ୍ୱାରକୁ ଫେରନ୍ତି । ସୁନାବେଶ ଓ ଅଧରପଣା ପରେ ଚତୁର୍ଦ୍ଧାମୂରତି ରତ୍ନସିଂହାସନକୁ ଫେରନ୍ତି । ଏହାକୁ ‘ନୀଳାଦ୍ରି ବିଜୟ’ ବା ‘ନୀଳାଦ୍ରିିବିଜେ’ କୁହାଯାଏ ।

ରଥାଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଭିମାନ କରିଥାନ୍ତି ମା’ ମହାଲକ୍ଷ୍ମୀ । ଯେତେବେଳେ ଯାତ୍ରା ସାର ଶ୍ରୀମନ୍ଦୀରକୁ ଚତୁର୍ଦ୍ଧାମୂରତି ଫେରନ୍ତି । ସେତେବେଳେ ଦେଢଶୁର ଓ ନଣନ୍ଦଙ୍କୁ ବାଟ ଛାଡିଥିଲେ ବି ପ୍ରାଣପ୍ରିୟ ଶ୍ରୀଜଗନ୍ନାଥଙ୍କ ପାଇଁ ଜୟବିଜୟ ଦ୍ୱାରକୁ ବନ୍ଦ କରି ଦିଅନ୍ତି ମା’ ମହାଲକ୍ଷ୍ମୀ । ତେଣୁ ମା’ଙ୍କର ଅଭିମାନକୁ ଶାନ୍ତ କରିବାକୁ ପାଟ ଶାଢୀ ସହ ରସଗୋଲା ଦେଇ ମାନଭଞ୍ଜନ କରନ୍ତି । ଏହାପରେ ମହାପ୍ରଭୁ ବଡ ଦେଉଳ ଭିତରକୁ ପ୍ରବେଶ କରିବାର ବିଧି ରହିଛି ।

Related Posts