ଆଜି ଝାରସୁଗୁଡ଼ାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ହେବ ନ‍‍ବ ଦାସଙ୍କ ଶେଷକୃତ୍ୟ

ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ): ଆଜି ଝାରସୁଗୁଡ଼ାରେ ହେବ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ଶେଷକୃତ୍ୟ । ଗତରାତିରୁ ମୃତଦେହକୁ ନବ ଦାସଙ୍କ ସରକାରୀ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଛି। ଆଜି ପ୍ରଥମେ ପାର୍ଥିବ ଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଦଳୀୟ ନେତା ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ସେଠାରୁ ମୃତଦେହକୁ ଏକ ସ୍ବତନ୍ତ୍ର ଚୋପର ବିମାନ ଯୋଗେ ଝାରସୁଗୁଡ଼ା ନିଆଯିବ । ସେଠାରେ ସହର ପରିକ୍ରମା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ହେବ ।

ସେପଟେ ନବ ଦାସଙ୍କ ବିୟୋଗରେ ରାଜ୍ୟ ସରକାର ୩ ଦିନିଆ ଶୋକ ପାଳନ ନିମନ୍ତେ ଘୋଷଣା କରିଛନ୍ତି।ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହେବନି । ଶେଷକୃତ୍ୟ ସ୍ଥଳରେ ରାଜ୍ୟର ୩ ମନ୍ତ୍ରୀ ଉପସ୍ଥିତ ରହି ସମ୍ମାନ ଜଣାଇବେ । ସଂସଦୀୟ ବ୍ୟାପର, ଅର୍ଥ, କୃଷି, ବାଣିଜ୍ୟ ଓ ପରିବହନ, ଜଳ ସଂପଦ ମନ୍ତ୍ରୀ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଏହି ସମୟରେ ଶେଷକୃତ୍ୟ ସ୍ଥଳରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଗତକାଲି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଜଣେ ଏଏସଆଇ ଗୁଳି ମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର ଶେଷ ହେବା ପରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନବ ଦାସ। ଏହାପରେ କ୍ୟାପିଟାଲ ହସ୍ପିଟାଲରେ ଗତ ରାତିରେ ତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ମର ଶରୀରକୁ ତାଙ୍କ ସରକାରୀ ବାସଭବନରେ ରଖାଯାଇଛି। ତେବେ ନବ ଦାସଙ୍କ ମୃତ୍ୟୁ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି।

Related Posts