ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଓଢ଼ଣ ଷଷ୍ଠୀ ପର୍ବ

ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଓଢ଼ଣ ଷଷ୍ଠୀ ପର୍ବ । ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କ ନିକଟରେ ‘ଘୋଡ଼ ଲାଗି’ ନୀତି ଅନୁଷ୍ଠିତ ହେବ । ଠାକୁରେ ଶୀତବସ୍ତ୍ର ପରିଧାନ କରିବେ । ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜୀ ସେବକ ଏହି ଘୋଡ଼ ପ୍ରସ୍ତୁତି କରି ଶ୍ରୀମନ୍ଦିର ଗାରଦ ଜିମା ଦେଇଛନ୍ତି । ଏଣୁ ସୋମବାର ଘୋଡ଼ ସବୁ ଅଧିବାସ ହୋଇଛି ।

ପଞ୍ଚମୀ ରାତିରେ ଠାକୁରଙ୍କ ଚନ୍ଦନଲାଗି ନୀତି ସରିଥିଲା । ପରେ ତିନି ଠାକୁରଙ୍କପାଇଁ ଘୋଡ଼ ସହିତ ବିମଳା, ସରସ୍ୱତୀ, ଲକ୍ଷ୍ମୀ ତଥା ମଦନମୋହନଙ୍କ ଘୋଡ଼ ଅଧିବାସ ହୋଇଥିଲା । ଷଷ୍ଠୀରେ ଠାକୁରଙ୍କୁ ଘୋଡ଼ ଲାଗି କରାଯାଇ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ଶୀତ ୪ ମାସ ପାଇଁ ମହାପ୍ରଭୁଙ୍କର ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଏହି ଘୋଡ଼ ଲାଗି ନୀତି ସମ୍ପାଦିତ ହେବ ।

ପତନୀ, ଗୀତଗୋବିନ୍ଦ ପାଟ ଓ ସୂତାପୁଟାରେ ଠାକୁରଙ୍କ ଶୀତ ବସ୍ତ୍ର ତିଆରି କରାଯାଇଛି । ଘୋଡ଼ଲାଗି ବେଶ ପାଇଁ ଖଟ ପାଛୁଡ଼ି ୩ଟି, ୭୨ ହାତର ଲମ୍ବା ପଟି ୨ଟି, ୧୬ ହାତ ୪ ପଟିଆ ୪ଟି, ୩ଟି ଥୋଡ଼ ପାହାଡ଼ିଆ, ୧୨ ହାତ ୪ପଟିଆ ୨ଟି, ମୁଦିରଥ ୧ଟି, ଫୁଲଛେଦା ୨ଟି ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ୪ଟି ଘୋଡ଼ ତିଆରି କରାଯାଇଛି । ଏଥିସହ ମଦନମୋହନ, ସୁଦର୍ଶନ, ଗରୁଡ଼, ପତିତପାବନ, ଗୁଣ୍ଡିଚା ମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ, ସୂର୍ଯ୍ୟଦେବ, ମୁକ୍ତିମଣ୍ଡପ ପାଶ୍ୱର୍ରେ ବିରାଜିତ ନୃସିଂହ ମହାପ୍ରଭୁ, ଦକ୍ଷିଣକାଳୀକା ଓ କାକୁଡ଼ିଖାଇଙ୍କ ପାଇଁ ୧୦ଟି ଘୋଡ଼ ତିଆରି କରାଯାଇଛି ।

Related Posts