ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଶୟନ ଯାଇଥିବା ମହାପ୍ରଭୁ ଗତକାଲି ଭାଦ୍ରବ ଶୁକ୍କ ଏକାଦଶୀ ତିଥି ଅବସରରେ ପାର୍ଶ୍ବ ପରିବର୍ତ୍ତନ କରିଛନ୍ତି। ଦୀର୍ଘ ଦୁଇ ମାସ ଧରି ଦକ୍ଷିଣମୁହାଁ ହୋଇ ଶୋଇ ରହିଥିବା ମହାପ୍ରଭୁ ଆଜି କଡ଼ ଲେଉଟାଇ ଉତ୍ତରମୁହାଁ ହୋଇ ଶୋଇଛନ୍ତି। ଶ୍ରୀମନ୍ଦିରରେ ପବିତ୍ର‌ା(ପଇତା) ଅଧିବାସ ନୀତି ମଧ୍ୟ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁ ନିଦ୍ରାରୁ ଉଠିବେ।

ଅନ୍ୟପକ୍ଷରେ ଆଜି ଶ୍ରୀମନ୍ଦିରରେ ସୁନିଆଁ ସହ ବାମନ ଜନ୍ମ ନୀତି ପାଳନ ହେବ। ଏହାସହ ପବିତ୍ରା ଲାଗି, ଇନ୍ଦ୍ରଧ୍ବଜା ପୂଜା ଓ ଗରୁଡ଼ଙ୍କ ପାର୍ଶ୍ବ ପରିବର୍ତ୍ତନ ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ସେପଟେ ଆଜି ସୁନିଆଁ ପର୍ବ ଅବସରରେ ଶ୍ରୀ ନଅର ରେ ମଧ୍ୟ ସ୍ଵତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେବ। ଆଜି ମହାପ୍ରଭୁଙ୍କର ଆଦ୍ୟ ସେବକ ତଥା ଗଜପତି ମହାରାଜାଙ୍କ ନୂତନ ଅଙ୍କ ଓ ବର୍ଷ ଘୋଷଣା ହେବ ।