ବିହାର ବନ୍ୟାରେ ବୁଡ଼ିକି ଅଛି, ହେଲେ ମୁଖ୍ୟମନ୍ତ୍ରୀ ରାଜନୈତିକ ତୀର୍ଥ ଯାତ୍ରାରେ ବୁଲୁଛନ୍ତି; ନୀତିଶଙ୍କୁ ସୁଶୀଲ ମୋଦିଙ୍କ କଟାକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦେଶର ବିରୋଧୀ ଦଳ ଗୁଡ଼ିକୁ ବିଜେପି ବିରୋଧରେ ଏକଜୁଟ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ନୀତିଶ ଦିଲ୍ଲୀ ଗସ୍ତ କରି ଭିନ୍ନ ଭିନ୍ନ ବିରୋଧୀ ଦଳର ନେତା ମାନଙ୍କୁ ଭେଟିଛନ୍ତି। ସେପଟେ ବିଜେପି ନୀତିଶ ଙ୍କ ଏଭଳି ପଦକ୍ଷେପକୁ ସହଜରେ ଗ୍ରହଣ କରିପାରି ନାହିଁ। ବିଜେପି ପକ୍ଷରୁ ନୀତିଶଙ୍କ ଦିଲ୍ଲୀ ଗସ୍ତକୁ କଟାକ୍ଷ କରିଛନ୍ତି ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ସାଂସଦ ସୁଶୀଲ ମୋଦି। ସୁଶୀଲ କହିଛନ୍ତି ଯେ, ଯେତେବେଳେ ବିହାର ବନ୍ୟା ପରିସ୍ଥିତିକୁ ସାମ୍ନା କରୁଛି, ଲୋକମାନେ ବନ୍ୟା ଜଳରେ ବୁଡିକି ଅଛନ୍ତି। ସେହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜନୈତିକ ତୀର୍ଥ ଯାତ୍ରାରେ ବାହାରି ଯାଇଛନ୍ତି। ଯାହାର କୌଣସି ଅର୍ଥ ନାହିଁ କି ଆଗାମୀ ଦିନରେ ଏହାର କୌଣସି ପ୍ରଭାବ ମଧ୍ୟ ପଡ଼ିବ ନାହିଁ। ସେ ଆହୁରି କହିଛନ୍ତି ଯେ, ନୀତିଶ ଏବେ କହୁଛନ୍ତି ଯେ ସେ ବିରୋଧୀ ମାନଙ୍କୁ ବିଜେପି ବିରୋଧରେ ଏକଜୁଟ କରିବେ ହେଲେ ତାଙ୍କ ପୂର୍ବରୁ ଏଭଳି ପ୍ରୟାସ ମମତା ବାନାର୍ଜୀ ଓ କେସିଆର ମଧ୍ୟ କରିଥିଲେ। ତାହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ତେଣୁ ନୀତିଶ ପ୍ରଧାନମନ୍ତ୍ରୀ ହେବା ଆଶା ନେଇ ଦିଲ୍ଲୀ ଯାତ୍ରା ଛାଡ଼ି ରାଜ୍ୟର ଲୋକଙ୍କ ଦୁଃଖ ବୁଝନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିରୋଧୀଙ୍କୁ ଏକଜୁଟ କରିବା ଲକ୍ଷ୍ୟ ନେଇ ଦିଲ୍ଲୀ ଗସ୍ତରେ ଥିବା ନୀତିଶ ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସିପିଆଇଏମ୍ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି ରାଜା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ସାରିଛନ୍ତି। ଆଗକୁ ସେ ଏନସିପି ଅଧ୍ୟକ୍ଷ ଶରଦ ପାୱାର, ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ଗସ୍ତ ପୂର୍ବରୁ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଓ ଆରଜେଡି ଅଧକ୍ଷ ଲାଲୁ ଯାଦବଙ୍କୁ ମଧ୍ୟ ଭେଟିଥିଲେ। ତେବେ ନୀତିଶ ବିରୋଧୀ ନେତାଙ୍କୁ ଭେଟିବା ପରେ ସେ ବିରୋଧୀ ମାନଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା କରାଯାଉଛି। ହେଲେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନୀତିଶ କୁମାର। ସେ କହିଛନ୍ତି ଯେ, ଆମର ଗୋଟିଏ ଲକ୍ଷ୍ୟ ହେଉଛି ବିରୋଧୀ ମାନଙ୍କୁ ଏକଜୁଟ କରିବା। ଦେଶର ସମସ୍ତ ବିରୋଧୀ ଏକାଠି ହେଲେ କେନ୍ଦ୍ର ସହ ଲଢେ଼ଇ ସହଜ ହେବ ଓ ଆମେ ସମସ୍ତେ ମିଶି ଦେଶର ଉନ୍ନତି କରିପାରିବୁ ବୋଲି ସେ କହିଛନ୍ତି।

Related Posts