ଆଜି ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ବିଜେ

ପୁରୀ: ବାହୁଡ଼ିବେ ମହାବାହୁ । ଜନ୍ମ ବେଦୀରେ ଲୀଳାଖେଳା ସାରି ଭାଇ ଓ ଭଉଣୀଙ୍କୁ ସାଥିରେ ଧରି ବାହୁଡ଼ିବେ ପ୍ରଭୁ। ଲକ୍ଷଲକ୍ଷ ଭକ୍ତମେଳରେ ଭାଇଭଉଣୀଙ୍କ ସହ ଶ୍ରୀମନ୍ଦିରକୁ ଫେରୁଛନ୍ତି ମହାବାହୁ। ଏଥିଲାଗି ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି।
ଏବେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଚାଲିଛି। ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଛି। ଶ୍ରୀସୁଦର୍ଶନଙ୍କ ପରେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେ‌ଷରେ ଜଗନ୍ନାଥ ପହଣ୍ଡି ବିଜେ କରିବେ।

ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଶନିବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୫ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହେବ। ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହେବ। ସକାଳ ୭ଟାରେ ଦଇତାପତି ସେବକମାନେ ସେନାପଟା ଲାଗି ପାଇଁ ପ୍ରବେଶ କରିବେ। ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ରଥ ଉପରେ ଅପରାହ୍ଣ ୧ଟାରୁ ସାଢ଼େ ୨ଟା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଶେଷ ହେବ। ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ। ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ପରେ ଜୁଲାଇ ୧୦ରେ ସୁନାବେଶ ଓ ହରିଶୟନ ନୀତି, ଜୁଲାଇ ୧୧ରେ ଅଧରପଣା ଓ ଗରୁଡ଼ଶୟନ ନୀତି, ଜୁଲାଇ ୧୨ରେ ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ।

Related Posts