ଭୁବନେଶ୍ୱର,୧୭/୧୨(ସତ୍ୟପାଠ ବ୍ୟୁରୋ): ଟଲିଉଡରେ ଡ୍ରଗ୍ସ କାରବାର ସହ ଜଡିତ ମନି ଲଣ୍ଡରିଂ ମାମଲାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏହି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂହଙ୍କୁ ସମନ୍ ଜାରି କରିଛି । ଆସନ୍ତା ୧୯ ତାରିଖରେ ହାଇଦ୍ରାବାଦସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ସମନ୍ ଜରିଆରେ କୁହାଯାଇଛି । ଏହି ମାମଲାରେ ତାଙ୍କୁ ପଚରାଉଚୁରା କରାଯିବ । ତେବେ ଗତବର୍ଷ ସେପ୍ଟେମ୍ବର ୩ ତାରିଖରେ ମଧ୍ୟ ତାଙ୍କୁ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ କାରବାର ନେଇ ଏନ୍ସିବି ପକ୍ଷରୁ ପଚରା ଉଚୁରା କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ୨୦୧୭ ଜୁଲାଇରେ ବହିଃଶୁଳ୍କ ଅଧିକାରୀମାନେ ସଙ୍ଗୀତକାର କାଲଭିନ ମାସ୍କାରେନହାସ୍ ଓ ଅନ୍ୟ ଦୁଇଜଣଙ୍କ ଠାରୁ ୩୦ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ କରିଥିଲେ । ଏହି ମାମଲାରେ ପୂର୍ବରୁ ରବି ତେଜା, ଚାର୍ମି କୌର, ନବଦୀପ, ମୁମେଥ ଖାନ, ତନିଶ, ନନ୍ଦୁ, ତରୁଣ ଓ ବାହୁବଳୀ ଅଭିନେତା ରାଣା ଦାଗୁବତିଙ୍କୁ ମଧ୍ୟ ଇଡି ଜେରା କରିଥିଲା । ଏହି ଡ୍ରଗ୍ସ କାରବାରକୁ ନେଇ ୧୨ଟି ମାମଲା ରୁଜୁ କରାଯାଇଥିଲା ବେଳେ ସେଥିମଧ୍ୟରୁ ୧୧ଟିରେ ଚାର୍ଜସିଟ୍ ଦାଖଲ କରାଯାଇସାରିଛି ।