ଆସନ୍ତା ୨୫ରେ ପୁରୀ ପହଞ୍ଚିବ ହକି ବିଶ୍ୱକପ ଟ୍ରଫି, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବ ଭବ୍ୟ ସ୍ୱାଗତ

ଭୁବନେଶ୍ୱର,୧୭/୧୨(ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷର ପୁରୁଷ ହକି ବିଶ୍ୱକପ ଓଡ଼ିଶା ଆୟୋଜନ କରୁଛି । ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଏହି ବିଶ୍ୱକପ୍ ର ମ୍ୟାଚ୍ ଗୁଡିକ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ହେବ । ୧୬ଟି ଦେଶର ପ୍ରତିଯୋଗୀ ଏହି ବିଶ୍ୱକପରେ ଅଂଶଗ୍ରହଣ କରିବେ । ଏଣୁ ଏହାର ପ୍ରଚାରପ୍ରସାର କରିବା ଲକ୍ଷ୍ୟରେ ବିଶ୍ୱକପ୍‌ ଟ୍ରଫି ସମଗ୍ର ରାଜ୍ୟ ପରିକ୍ରମା କରିବ । ପୁରୀ ଜିଲ୍ଲାକୁ ଆସନ୍ତା ୨୫ ତାରିଖ ସଂଧ୍ୟାରେ ଏହା ପହଞ୍ଚିବ ।

୨୬ ତାରିଖ ପ୍ରତ୍ୟୁଷରୁ ଦିଗବାରେଣୀ ବେଳାଭୂମିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫିକୁ ସ୍ୱାଗତ ଓ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ । ଏହି ଅବସରରେ ଜୁମ୍ବା ଡ୍ୟାନ୍ସ, ମାଲଖମ୍ବ, ବେଳାଭୂମି ମିନି ମାରାଥନ, ସଂଗୀତ ପରିବେଷଣ, ଘୋଡ଼ାନାଚ, ସିଗ୍‌ନେଚର କ୍ୟାମ୍ପେନ୍‌ ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା ।

ହକି ବିଶ୍ୱକପ ଭଳି ଏକ ମର୍ଯ୍ୟାଦାଜନକ ଖେଳକୁ ଆୟୋଜନ କରିବାର ସୁଯୋଗ ବାରମ୍ବାର କୌଣସି ଦେଶକୁ ମିଳି ନଥାଏ । ତେଣୁ ଏହି ଟ୍ରଫିକୁ ଭବ୍ୟ ସ୍ୱାଗତ ସହ ଯେପରି ଏହା ସ୍ମରଣୀୟ ହୋଇ ରହିବ ସେଥିପାଇଁ ସମସ୍ତେ ପ୍ରୟାସ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଦିଗବାରେଣୀ ବେଳାଭୂମିରେ ଟ୍ରଫିକୁ ସ୍ୱାଗତ କରାଯିବା ପରେ ବ୍ଲୁ ଫ୍ଲାଗ ବିଚ୍‌କୁ ନିଆଯିବ ଓ ସେଠାରେ ଫଟୋସୁଟ୍‌ କରାଯିବ । ପରେ ସିଂହଦ୍ୱାରରେ ପ୍ରଭୁଙ୍କ ଆଶୀର୍ବାଦ ନେଇ ଟ୍ରଫି ପ୍ରଦର୍ଶନ କରାଯିବ । ଅପରାହ୍ନରେ ଶ୍ରୀଜଗନ୍ନାଥ ଷ୍ଟାଡିୟମରେ ଫଟୋସୁଟ୍‌ ପରେ ବିଶ୍ୱକପ୍‌ ଟ୍ରଫି କୋଣାର୍କ ଇକୋ ରିଟ୍ରିଟ୍‌ ଓ କୋଣାର୍କ ମନ୍ଦିରରେ ସ୍ୱାଗତ, ପ୍ରଦର୍ଶନ ଓ ଫଟୋସୁଟ୍‌ ପରେ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଯାତ୍ରା କରିବ ବୋଲି କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

Related Posts