
ବାରଙ୍ଗ : ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ। ଏହି ମାଡ଼ ଘଟଣାରେ ସମ୍ପୃକ୍ତ ଥିବା ସଫାରୀ କାଉଣ୍ଟରର ୩ ଜଣ କର୍ମଚାରୀ ଗିରଫ । ସମସ୍ତ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଅପର ପକ୍ଷରେ ଘଟଣାର ତଦନ୍ତ କରି ଦୋଷୀ ଠିକାଦାର ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନନ୍ଦନକାନନର ଉପନିର୍ଦ୍ଦେଶକ।
ସୂଚନାନୁଯାୟୀ, ରବିବାର ନନ୍ଦନକାନନ ବସ୍ ସଫାରୀ ଟିକେଟ କାଉଣ୍ଟରରେ ଛତିଶଗଡ଼ର କିଛି ପର୍ଯ୍ୟଟକ ଟିକେଟ କାଟିବାକୁ ବାଧ୍ୟ କରିବା ପରେ କାଉଣ୍ଟର କର୍ମଚାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ନନ୍ଦନକାନନ ସଫାରୀ ବସ୍ କର୍ମଚାରୀଙ୍କ ଆକ୍ରମଣରେ ଦୁଇ ପର୍ଯ୍ୟଟକ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲା ।