ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼: ଶୃଙ୍ଖଳିତ ଦର୍ଶନ ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ଵର,୩୧/୧୨(ସତ୍ୟପାଠ ବ୍ୟୁରୋ): ଆଜି ହେଉଛି ୨୦୨୨ର ଶେଷ ଦିନ ଓ ନୂତନ ବର୍ଷ ୨୦୨୩କୁ ସ୍ୱାଗତ ପାଇଁ ପୁରୀ ଲୋକାରଣ୍ୟ ହୋଇଛି। ଏଠାକୁ ଗତ ଦୁଇ ଦିନ ଧରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ଆଗମନ ବଢ଼ିବାରେ ଲାଗିଛି। ଆଜି ସୁଦ୍ଧା ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା କୁହାଯାଉଛି। ଆଜି ସକାଳୁ ପୁରୀ ବଡ଼ଦାଣ୍ଡ, ସମୁଦ୍ର କୂଳ ସମେତ ଅଧିକାଂଶ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଏହି ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ବ୍ୟାରିକଡକୁ ମଧ୍ୟ ମରିଚିକୋଟ ଛକରୁ ମାର୍କେଟ୍ ଛକ ଯାଏଁ ସଂପ୍ରସାରଣ କରାଯାଇଛି। ସ୍କୁଲ ଛାତ୍ରୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ଅଲଗା ଲାଇନ୍ କରାଯାଇଛି। ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ପ୍ରବଳ ଭିଡ଼କୁ ଦେଖି ସିଂହଦ୍ୱାରଠାରୁ ବଡ଼ ଚଡାକ୍ତରଖାନା ଛକ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ଜିଲ୍ଲା ପ୍ରାଶସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୧୧ଜଣ ଅତିରିକ୍ତ ଏସ୍‌ପି, ୨୪ଜଣ ଡିଏସପି ରାଙ୍କର ଅଫିସର ଓ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି।

ସେପଟେ ନୂଆବର୍ଷ ଭିଡ଼ ନିୟନ୍ତ୍ରଣ ପାଇଁ ଡିସେମ୍ବର ୩୧ରୁ ମାର୍କେଟ୍ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୌରସଂସ୍ଥା ପକ୍ଷରୁ ସମସ୍ତ ଉଠା ଦୋକାନୀଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି। ଯେଉଁ ଉଠା ଦୋକାନୀମାନେ ରାସ୍ତା ଉପରେ ବସିଛନ୍ତି, ସେମାନଙ୍କୁ ରାସ୍ତା ଉପରୁ ସମସ୍ତ ଦୋକାନ ହଟାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂପର୍କରେ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି ଯେ, ଡିସେମ୍ବର ୩୦ ତାରିଖ ରାତିରୁ ସମସ୍ତ ଦୋକାନ ବନ୍ଦ ହୋଇଛି। ନୂଆବର୍ଷ ପାଇଁ ଯେହେତୁ ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ ଅଧିକ ଭିଡ଼ ରହିବ, ଏହି ଦୁଇଦିନ ମାର୍କେଟ୍ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ବନ୍ଦ ରଖିବାକୁ କୁହାଯାଇଥିଲା।

Related Posts