ଚାଷୀ ଆନ୍ଦୋଳନ ଯୋଗୁଁ ଟ୍ରାଫିକ ସମସ୍ୟା , ସୁପ୍ରିମକୋର୍ଟ କହିଲେ – ‘ ସମାଧାନର ବାଟ ଖୋଜନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ‘

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜାତୀୟ ରାଜଧାନୀ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଜବାବ ତଲବ କଲେ ସର୍ବୋଚ୍ଚ ନ୍ୟାୟାଳୟ । ଦୀର୍ଘ ଦିନ ପରେ ବି କାହିଁକି ସମସ୍ୟା ସମାଧାନର ବାଟ ବାହାର କରି ପାରୁ ନାହାଁନ୍ତି ସେନେଇ ଉଭୟ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ଚାଷୀ ଆନ୍ଦୋଳନ ଯୋଗୁଁ ଦିଲ୍ଲୀରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟାକୁ ନେଇ ଆବେଦନ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । 

ଏହା ସହିତ କୋର୍ଟ କହିଛନ୍ତି ଯେ, ଆନ୍ଦୋଳନ ସମୟରେ କୌଣସି ରାସ୍ତା କିଭଳି ଅବରୋଧ ନହେବ ତାହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟୀତ୍ୱ । ଜଷ୍ଟିସ ସଂଜୟ କିଶାନ କୌଲଙ୍କ ନେତୃତ୍ୱରେ ଏକ ବେଞ୍ଚ ନୋଏଡା ନିବାସୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ପିଟିସନର ଶୁଣାଣି ବେଳେ କହିଥିଲେ ଯେ, ଚାଷୀଙ୍କ ପ୍ରତିବାଦ କରିବାର ଅଧିକାର ଅଛି କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇପାରିବ ନାହିଁ। 

ଆନ୍ଦୋଳନ କରିବାର ସ୍ଥାନ ସେମାନଙ୍କର ଅଧିକାର ଥାଇପାରେ, କିନ୍ତୁ ଏହିପରି ରାସ୍ତା ଅବରୋଧ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ରାସ୍ତା ଅବରୋଧ ହଟାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ବିଭିନ୍ନ ନିର୍ଦ୍ଦେଶ ସତ୍ତ୍ୱେ ତାହା ପାଳନ କରାଯାଇ ନାହିଁ ବୋଲି ଆବେଦନକାରୀ ମୋନିକା ଅଗ୍ରୱାଲ ତାଙ୍କ ଆବେଦନରେ କହିଛନ୍ତି। ସିଙ୍ଗିଲ୍ ମଦର ହୋଇଥିବା କାରଣରୁ ନୋଏଡା ଠାରୁ ଦିଲ୍ଲୀ ଯାତ୍ରା କରିବା ତାଙ୍କ ପାଇଁ ଏକ ଦୁଃ ସ୍ୱପ୍ନ ପାଲଟିଛି ବୋଲି ସେ କହିଛନ୍ତି। 

ସମାଧାନ କରିବାକୁ ନିର୍ଦ୍ଦେଶ

ଶୁଣାଣି ସମୟରେ ସୁପ୍ରିମକୋର୍ଟର ବେଞ୍ଚ କେନ୍ଦ୍ର ସରକାର ଏବଂ ସଂପୃକ୍ତ ରାଜ୍ୟମାନଙ୍କୁ ରାସ୍ତା ଅବରୋଧର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ  “ଆପଣଙ୍କୁ ଏକ ସମାଧାନ ଖୋଜିବାକୁ ପଡିବ। ସମାଧାନର ରାସ୍ତା କେନ୍ଦ୍ର ଏବଂ ସମ୍ପୃକ୍ତ ରାଜ୍ୟଙ୍କ ହାତରେ ଅଛି।” ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକ ଆଫିଡେଭିଟ୍‌ରେ କୁହାଯାଇଛି ଯେ କୃଷକମାନଙ୍କୁ ବୁଝାଇବା ଚେଷ୍ଟା କରାଯାଉଛି। 

ସୂଚନାଯୋଗ୍ୟ ଯେ , ନୂଆ କୃଷି ଆଇନକୁ ବିରୋଧ କରି ଗତ ବର୍ଷ ନଭେମ୍ବର ମାସରୁ ଦିଲ୍ଲୀ , ହରିୟାଣା ଓ ଉତରପ୍ରଦେଶ ସୀମାରେ ଆନ୍ଦୋଳନ ଚଳାଇଛନ୍ତି କୃଷକ ।

Related Posts