ଟ୍ରେନରେ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୁରୀ- ଗୁଣୁପୁର ଟ୍ରେନ୍‌ରେ ମାତିଲେ ଲୁଟେରା। ନିଶା ଦେଇ୨ ବୃଦ୍ଧ ଦମ୍ପତିଙ୍କ ଠାରୁ ଲୁଟିନେଲେ ସବୁକିଛି। ଗତକାଲି ସନ୍ଧ୍ୟା ସମୟରେ ବ୍ରହ୍ମପୁର ଷ୍ଟେସନରୁ ଉଭୟ ଦମ୍ପତ୍ତିଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ବୃଦ୍ଧ ଦମ୍ପତିମାନେ ହେଲେ ବ୍ରହ୍ମପୁର ସୂର୍ଯ୍ୟନଗରର କେ. ସୁବାସୀ ଆଚାରୀ, ତାଙ୍କ ସ୍ତ୍ରୀ କେ. ସୁମତୀ ଆଚାରୀ ଓ ସୁବାସଙ୍କ ବଡ଼ ଭାଇ କେ. କିଶୋର ଚନ୍ଦ୍ର ଆଚାରୀ ଓ ଭାଉଜ କେ. ଶାରଦା ଆଚାରୀ। ସେମାନେ ପୁରୀରୁ ଠାକୁରଙ୍କ ଦର୍ଶନ କରି ବ୍ରହ୍ମପୁର ଫେରୁଥିବା ବେଳେ ଏହି ଲୁଟ୍‌ର ଶିକାର ହୋଇଥିବା ଜଣାଯାଇଛି। ସେମାନଙ୍କ ନିକଟରେ ଥିବା ପରିଚୟପତ୍ରରୁ ବ୍ରହ୍ମପୁର ସୂର୍ଯ୍ୟନଗର ଘର ବୋଲି ଜଣାପଡିଥିଲା ।

ଖବରପାଇ ଜିଆରପି ପୁଲିସ୍‌ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଛି। ସେଠାରେ ଆଜି ସକାଳେ ସେମାନଙ୍କ ଚେତା ଫେରିଥିବା ବେଳେ ସେମାନେ କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବା ଜଣାଯାଇଛି।

ଜିଆରପି ଥାନା ଅଧିକାରୀ କହିଛନ୍ତି ଯେ, ପୁରୀ-ଗୁଣପୁର ଏକ୍ସପ୍ରେସରେ ୨ ବୃଦ୍ଧ ଦମ୍ପତି ଅଚେତ ଅବସ୍ଥାରେ ଥିବା ଗତକାଲି ଅପରାହ୍ନ ୪ଟାରେ ଖବର ମିଳିଲା। ତୁରନ୍ତ ସେମାନଙ୍କୁ ଟ୍ରେନ୍‌ରୁ ଓହ୍ଲାଇ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲୁ। ସେଠାରେ ସେମାନଙ୍କ ଚେତା ଫେରିଥିବା ଜଣାଯାଇଛି। ତେବେ ସେମାନଙ୍କ ନିକଟରୁ କ’ଣ କ’ଣ ଲୁଟ୍‌ ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ ।

Related Posts