ଇସ୍ତଫା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । କାହିଁକିନା ବିଜେଡି ସରକାରର ପଂଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତିକୁ ସପ୍ତାହ ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ନୂତନ ଭାବେ ମନ୍ତ୍ରିମଣ୍ଡଳ ଗଢ଼ିବେ ବୋଲି ସୂଚନା ରହିଛି। ଏହା ମଧ୍ୟରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଇସ୍ତଫା ଦେଇଥିବାର ଖବର ସାମ୍ନାକୁ ଆସିଛି । ସେପଟେ କିଛି ସମୟ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ୟ ନିଜର ଇସ୍ତଫା ପତ୍ରକୁ ଉପ-ବାଚସ୍ପତିଙ୍କୁ ପ୍ରଦାନ କରିଥିଲେ । ଏହାଛଡ଼ା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବି ଇସ୍ତଫା ଦେବାକୁ ନିର୍ଦେଶ ଦିଆଯାଇଛି। ଏଣେ ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର ବି ନିଜ ପଦରୁ ଇସ୍ତଫା ଦେଇଥିବାର ଖବର ମିଳିଛି। ଏପ୍ରିଲ୍ ମାସରେ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କର ରିପୋର୍ଟ କାର୍ଡ ମାଗିଥିଲେ।

ଫଳରେ ମନ୍ତ୍ରିମଣ୍ଡଳରେ ଶୀଘ୍ର ଅଦଳବଦଳ ହୋଇପାରେ ବୋଲି କୁହାଯାଉଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହିଭଳି ମନ୍ତ୍ରୀମାନଙ୍କର ରିପୋର୍ଟ କାର୍ଡ ମାଗିବା ସହ ମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିଲେ। ତେଣୁ ଏବେ ସେହି ସମାନ ତରିକା ଆପଣାଇବେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ରିପୋର୍ଟ କାର୍ଡରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ କେତେ ସଫଳତାର ସହ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି, ସେମାନଙ୍କ ବିଭାଗର କେଉଁ ଯୋଜନା ଅଧିକ ଫଳପ୍ରଦ ହୋଇଛି, ଆଗାମୀ ଦିନରେ କ’ଣ କରିବାକୁ ଯୋଜନା କରିଛନ୍ତି ସେ ନେଇ ବିସ୍ତୃତ ରିପୋର୍ଟ ଦେଇଥିଲେ। ବିଶେଷ କରି ୧୫ରୁ ଊର୍ଦ୍ଧ୍ବ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ମଙ୍ଗୁଆଳମାନଙ୍କୁ ନିରାଶ କରିଥିବାରୁ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେଇ ନୂଆମୁହଁଙ୍କୁ ସାମିଲ କରାଯିବ ବୋଲି ପାୱାର କରିଡରରେ ଚର୍ଚ୍ଚା ଚାଲିଛି।

Related Posts