ତ୍ରିନାଥ ମିଶ୍ର ଗିରଫ ହେବା ପରେ ତାଙ୍କ ପତ୍ନୀ ଭିଜିଲାନ୍ସକୁ ଦେଖାଇଲେ ନାଲି ଆଖି; କହିଲେ ସାହସ ଅଛି ହେଲେ ପ୍ରମାଣ କରି ଦେଖାଅ

ଭୁୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆୟ ବର୍ହିଭୁତ ସମ୍ପତି ପାଇଁ ଗିରଫ ହୋଇଛନ୍ତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ସେପଟେ ଏଏସ୍ପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପତ୍ନୀ ଦୀପ୍ତିମୟୀ ଚୌଧୁରୀ ଭିଜିଲାନ୍ସକୁ ଦେଖାଇଛନ୍ତି ନାଲି ଆଖି। ତେବେ ଭିଜିଲାନ୍ସ କିଛି କରିପାରିବ ନାହିଁ। ସେମାନଙ୍କ ସହିତ କୋର୍ଟରେ ଦେଖା ହେବ। ସେମାନେ କୋର୍ଟରେ ପ୍ରମାଣ ଦେଖାନ୍ତୁ। ମୁଁ ବି କୋର୍ଟରେ ପ୍ରମାଣ ଦେଖାଇବି। ଦୀପ୍ତିମୟୀ କହିଛନ୍ତି, ମୋ ସ୍ୱାମୀଙ୍କର ସଂପତ୍ତି ନେଇ ଭିଜିଲାନ୍ସ ଯାହା କହିଛି, ତାହା ସଂପୂର୍ଣ୍ଣ ମିଛ। କିନ୍ତୁ ଯେତିକି ସଂପତ୍ତି ଦେଖାଯାଇଛି ସେଥିରେ ମୋର ପୈତୃକ ସଂପତ୍ତି ରହିଛି। ପୈତୃକ ସଂପତ୍ତିରେ ମୋର ବି ଅଂଶ ରହିଛି। ମୋ ଶ୍ୱଶୁର ମଧ୍ୟ ପୁଲିସ୍ ଅଫିସର ଥିଲେ। ତାଙ୍କର ବି ସଂପତ୍ତି ଅଛି। ସେ କହିଛନ୍ତି, ମୋ ସ୍ୱାମୀ ଆଉ ଦୁଇ ବର୍ଷ ପରେ ଅବସର ନେଇଥା’ନ୍ତେ। ଯଦି ସେ ଦୁର୍ନୀତି କରୁଥିଲେ ଓ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଛନ୍ତି, ତା’ହେଲେ ଆଗରୁ କାହିଁକି ଚଢ଼ାଉ ହେଲା ନାହିଁ। ଏବେ କାହିଁକି ହେଲା? ତେଣୁ ତାଙ୍କ ନାଁରେ ଯେଉଁ ଅଭିଯୋଗ ଆସିଛି, ତାହା ସଂପୂର୍ଣ୍ଣ ମିଛି। ଯାହା ସବୁ ଦେଖାଯାଇଛି, ତାହା ସବୁ ତାଙ୍କ ସଂପତ୍ତି ନୁହେଁ।

ସେଥିରେ ଆମ ପୈତୃକ ସଂପିତ୍ତି ରହିଛି। ଆମ ପାଖରେ ଅତିବେଶୀରେ ଦୁଇ କୋଟିର ସଂପତ୍ତି ଅଛି। ସେଥିରେ ପୁଣି ଲୋନ୍ ରହିଛି। ଭିଜିଲାନ୍ସ ତା’ ତାଲିକରେ ୪ଟି କୋଠା ଦେଖାଇଛି। ସେଥିରୁ ଗୋଟିଏର ପ୍ରମାଣ ଦେଖାନ୍ତୁ। ୪ଟିରୁ ଗୋଟିଏ ବି ଆମ ନାଁରେ ନାହିଁ। ଯଦି ଭିଜିଲାନ୍ସ ପ୍ରମାଣ ଦେଇ ଦେବ ତା’ହେଲେ ଆମେ ମାନିବୁ। କିନ୍ତୁ ପ୍ରଥମେ ସେମାନେ ଲିଖିତ ପ୍ରମାଣ ଦିଅନ୍ତୁ। ମୁଁ କୋର୍ଟରେ ଭିଜିଲାନ୍ସକୁ ତାହା ମାଗିବି। ଭୁବନେଶ୍ୱରରେ ଯେଉଁ ଘର ରହିଛି, ତାହା ମୋ ବାପା ମୋ ମା’ଙ୍କ ନାଁରେ ୧୯୯୫ରେ କିଣିଥିଲେ। ମୋ ନାଁରେ ବି ଏ ଘର ନାହିଁ। ଛୁଆଙ୍କ ପାଠପଢ଼ା ପାଇଁ ଆମେ ଏଠାରେ ୧୯୯୭ରୁ ରହୁଛୁ। BMW କାର୍ ସଂପର୍କରେ ସେ କହିଛନ୍ତି, ପୁଅ ଡାକ୍ତର ହେଲେ ତାକୁ BMW କାର୍ ଦେବି ବୋଲି କହିଥିଲି।

ତେଣୁ ମୋ ନିଜ ସୁନା ଗହଣା ବନ୍ଧା ରଖି ୩୦ ଲକ୍ଷ ଡାଉନ ପେମେଣ୍ଟ ଦେଇ କାର୍ କିଣିଛି। ୩୦ ଲକ୍ଷ ପରେ ବାକି ଟଙ୍କା ବ୍ୟାଙ୍କରୁ ଲୋନ୍ ନେଇ କାର୍ କିଣିଛି। ଦୀପ୍ତିମୟୀ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ବିଭାଗର କିଛି ଲୋକଙ୍କ ଈର୍ଷା ଓ ଗୋଡ଼ଟଣା ନୀତି ଯୋଗୁ ଏହି ଭିଜିଲାନ୍ସ ଚଢ଼ାଉ ହୋଇଛି। ଯେଉଁ ସଂପତ୍ତି ଆମ ନାଁରେ ନାହିଁ ସେଗୁଡ଼ିକୁ ଆମର ବୋଲି ଯଦି ଭିଜିଲାନ୍ସ ଦର୍ଶାଇବ, ତା’ହେଲେ ଆମେ କ’ଣ କରିବୁ। ଯଦି ଭିଜିଲାନ୍ସ କୋର୍ଟରେ ଏସବୁର ପ୍ରମାଣ ଦେଇ ଦେବ, ତା’ହେଲେ ମୁଁ ମାନିଯିବି ଯେ ସେମାନେ ଠିକ୍।

Related Posts