ଭୁୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ତେବେ ଆପତ୍ତି ଜନକ ଶବ୍ଦ ପ୍ରୟୋଗ କରିଥିବାରୁ ହାଇଦ୍ରାବାଦ ପୁଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଶ୍ରୀ ଶର୍ମାଙ୍କ ବିରୋଧରେ ପ୍ରଥମେ ତେଲେଙ୍ଗାନା ପିସିସି ମୁଖ୍ୟ ରେଭନ୍ତ ରେଡ୍ଡୀ ପୁଲିସ୍ରେ ଅଭିଯୋଗ କରିଥିଲେ।
ଏହି ଅଭିଯୋଗକୁ ଆଧାର କରି ହାଇଦ୍ରାବାଦ ସିଟିରେ ଥିବା ଜୁବଲି ହିଲ୍ସ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଛି।

ଶ୍ରୀ ଶର୍ମାଙ୍କ ନାଁରେ ଦଫା ୫୦୪ ଓ ୫୦୫(୨) ଅନୁସାରେ ମାମଲା କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି। କିଛି ଦିନ ତଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିବାକୁ ଯାଇ ହିମନ୍ତ ବିଶ୍ୱଶର୍ମା ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ବିଭିନ୍ନ ରାଜ୍ୟରେ ଏଫଆଇଆର କରାଯାଇଥିଲା। ଏହିକ୍ରମରେ ସୋମବାର ତେଲେଙ୍ଗାନାନା ପିସିସି ମୁଖ୍ୟ ରେଭନ୍ତ ରେଡ୍ଡୀ ଜୁବଲି ହିଲ୍ସ ପୁଲିସ୍ ଷ୍ଟେସନରେ ପହଞ୍ଚି ଅଭିଯୋଗପତ୍ର ଦେଇଥିଲେ। ସେ ଅପରାଧିକ ମାମଲା ରୁଜୁ କରିବା ସହ ମୁଖ୍ୟମନ୍ତ୍ରୀ ଶର୍ମାଙ୍କୁ ଗିରଫ କରିବାକୁ ଦାବି ବି କରିଥିଲେ।