ତ୍ରିପୁରା ବିଧାନସଭା ନିର୍ବାଚନ; ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ଆସନ୍ତା ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି। ମୋଟ ୬୦ ବିଧାନସଭା ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ତେବେ ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ନାଁ ନାହିଁ। ତେଣୁ ସେ ୨୦୨୩ ନିର୍ବାଚନ ଲଢ଼ି ନ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ମାଣିକ ଶାହ ବିଜେପି ପକ୍ଷରୁ ବରଦୋୱାଲୀରୁ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଛି। ୬୦ ଆସନରୁ ୪୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ବାକି ୧୨ ଜଣ ପ୍ରାର୍ଥୀଙ୍କ ନାଁ ଖୁବ୍‌ଶୀଘ୍ର ଘୋଷଣା ହେବ ବୋଲି ବିଜେପି କହିଛି।

ବିପ୍ଳବ ଯେଉଁ ବନମାଳିପୁର ଆସନରୁ ନିର୍ବାଚନ ଲଢ଼ୁଥିଲେ ସେହି ଆସନ ପାଇଁ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରେ ରାଜ୍ୟ ବିଜେପି ଅଧ୍ୟକ୍ଷ ରାଜୀବ ଭଟ୍ଟାଚାର୍ଯ୍ୟ ନିର୍ବାଚନ ଲଢ଼ିବେ ବୋଲି ତାଲିକାରେ ରହିଛି। ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କୁ ଧନପୁର ଆସନରୁ ପ୍ରାର୍ଥୀ କରାଯାଇଛି।

ତ୍ରିପୁରା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ଦୁଇ ମସ୍‌ଲିମ ପ୍ରାର୍ଥୀଙ୍କୁ ସ୍ଥାନ ମିଳିଛି। ବକ୍ସର ନଗରରୁ ତଫ୍ଫଜଲ ହୁସେନ ଓ କୈଲାସହରରୁ ମୋହମ୍ମଦ ମୋବେଶରକୁ ପ୍ରାର୍ଥୀ କରିଛି ଦଳ।

ଶନିବାର ଦଳର ନେତା ଅନୀଲ ବଲୁନୀ ଓ ସମ୍ବିତ ପାତ୍ର ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ। ଦଳ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ତାଲିକା ଜାରି କରି କରାଯାଇଥିଲା। ଏହା ପୂର୍ବରୁ ଶୁକ୍ରବାର ବଜେପି କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ରେ ଥିବା ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ମୁଖ୍ୟ ଜେପି ନଡ୍ଡା ଦଳ ମୁଖ୍ୟାଳୟରେ ବୈଠକ କରିଥିଲେ। ସେଠାରେ ହିଁ ତ୍ରିପୁରା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ନେଇ ନିଷ୍ପତ୍ତି ହୋଇଥିଲା।

Related Posts