
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ତ୍ରିପୁରା ପିସିସି (TPCC) ସଭାପତି ପିଜୁଶ କାନ୍ତି ବିଶ୍ୱାସ ଶନିବାର କଂଗ୍ରେସ ଛାଡିବା ଏବଂ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ଘୋଷଣା କରିବାର କିଛି ଘଣ୍ଟା ପରେ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିନେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଅଭିଯୋଗ ଉପରେ ଦୃଷ୍ଟି ଦିଆଯିବ ବୋଲି ଆଶ୍ବାସନା ମିଳିବା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି । ବିଶ୍ବାସ ପ୍ରଥମେ କହିଥିଲେ ଯେ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି। ପରେ ସେ ‘ୟୁ-ଟର୍ନ’ ନେଇ କହିଥିଲେ ଯେ ସେ ଇସ୍ତଫା ଦେବା ପଛର କାରଣ ହେଉଛି ଅନେକ ପ୍ରସଙ୍ଗ ଉପରେ ପାର୍ଟି ତାଙ୍କ ଧ୍ୟାନ ଦେଉ ନଥିଲା ।
ଇସ୍ତଫା ପତ୍ର ପ୍ରତ୍ଯାହାର କରିବା ପରେ ସେ କହିଛନ୍ତି, “ତ୍ରିପୁରା କଂଗ୍ରେସର ଦାୟିତ୍ୱରେ ଥିବା ଅଜୟ କୁମାର ମୋ ସହ କଥା ହୋଇଥିଲେ ଏବଂ ଏହି ସବୁ ସମସ୍ୟାର ସମାଧାନ ପାଇଁ ସେ ମୋତେ ଭେଟିବେ ବୋଲି ଆଶ୍ୱାସନା ଦେଇଛନ୍ତି। ଯଦି ସେ ସେଗୁଡ଼ିକର ସମାଧାନ କରିପାରନ୍ତି, ତେବେ ଟିପିସିସି ମୁଖ୍ୟ ଭାବରେ କାର୍ଯ୍ୟ କରିବାରେ ମୋର କୌଣସି ଅସୁବିଧା ନାହିଁ। ”
ଅପରପକ୍ଷରେ କୁମାର ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ବିଶ୍ୱାସଙ୍କ ଦ୍ବଖରା ଉଠାଯାଇଥିବା ସମସ୍ୟାର ସମାଧାନ ଖୁବ୍ ଶୀଘ୍ର କରାଯିବ। ଏହାପୂର୍ବରୁ ତ୍ରିପୁରା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ବିଶ୍ୱାସ ଦଳ ଛାଡି ରାଜନୀତିରୁ ଅବସର ନେବାକୁ ଘୋଷଣା କରିଥିଲେ। ତେବେ ବରିଷ୍ଠ ନେତା କହିଥିଲେ ଯେ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି।
ଗତକାଲି ସେ ଟ୍ବିଟ୍ କରି କହିଥିଲେ ଯେ ,“ତ୍ରିପୁରା ପିସିସି (TPCC) ସଭାପତି ଭାବେ କାର୍ଯ୍ୟ କରିବା ବେଳେ ମୋତେ ସମର୍ଥନ ଓ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କୁ ଧନ୍ୟବାଦ। ଆଜି ମୁଁ ସଭାପତି ପଦରୁ ଇସ୍ତଫା ଦେଉଛି ଓ ରାଜନୀତିରୁ ମଧ୍ୟ ଅବସର ଘୋଷଣା କରୁଛି। ମୁଁ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।” ଏହା ପରେ ସେ ଗଣମାଧ୍ୟମକୁ କହିଥିଲେ ଯେ ମୁଁ କେବଳ ବ୍ୟକ୍ତିଗତ କାରଣରୁ ମୁଁ ଇସ୍ତଫା ଦେଇଛି। ଅନ୍ୟ କୌଣସି ଦଳରେ ଯୋଗଦେବା ପାଇଁ ମୋର କୌଣସି ଯୋଜନା ନାହିଁ।