ଜେଲ୍ ଗଲେ ଟୁଟୁ ନାୟକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସାମ୍ବାଦିକାଙ୍କୁ ଚାପୁଡ଼ା ପଡ଼ିଲା ମହଙ୍ଗା। ମହିଳା ସାମ୍ବାଦିକାଙ୍କୁ ଚାପୁଡା ମାରିବା ଅଭିଯୋଗରେ ଗିରଫ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ ଜେଲ୍ ଯାଇଛନ୍ତି । ଏହି ମାମଲାରେ ଖାରବେଳନଗର ଥାନା ପୋଲିସ ଶନିବାର ଟୁଟୁଙ୍କୁ ଗିରଫ କରିଥିଲା । ଏହା ପରେ ତାଙ୍କୁ ଭୁବନେଶ୍ଵର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ସୋମବାର ଟୁଟୁଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ ବୋଲି ସୂଚନା ମିଳିଛି।

କିଛି ସମୟ ପୂର୍ବରୁ ଟୁଟୁ ନାୟକଙ୍କୁ ୩୫୪, ୨୯୪, ୩୪୧, ୩୨୩ ଦଫାରେ ଗିରଫ କରାଯାଇଥିବା ନେଇ ଡିସିପି ପ୍ରତୀକ ସିଂ ସୂଚନା ଦେଇଥିଲେ। ଶୁକ୍ରବାର ମହିଳା ସାମ୍ବାଦିକଙ୍କୁ ସର୍ବସମ୍ମୁଖରେ ଚାପୁଡା ମାରିଥିଲେ ପ୍ରଯୋଜକ ଟୁଟୁ ନାୟକ । ଏନେଇ ଶୁକ୍ରବାର ଖାରବେଳନଗର ଥାନାରେ ମହିଳା ସାମ୍ବାଦିକ ଏତଲା ଦେଇଥିଲେ । ଆଜି ଟୁଟୁ ନାୟକ ଥାନାରେ ହାଜର ହୋଇଥିଲେ। ପଚରା ଉଚୁରା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ, ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିଲା । ମହିଳା ସାମ୍ବାଦିକଙ୍କୁ ଚାପୁଡ଼ା ମାରିବା ସହ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା । ଶୁକ୍ରବାର ଏକ ଓଡ଼ିଆ ଫିଲ୍ମର ପ୍ରିମିୟର ଶୋ’ ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପ୍ରିମିୟର ଶୋ’ ଚାଲିଥିବା ବେଳେ ମହିଳା ସାମ୍ବାଦିକ ବାହାରକୁ ଆସିଥିଲେ । ଅଭିନେତାଙ୍କ ବାଇଟ୍‌ ନେବା ପାଇଁ ମହିଳା ସାମ୍ବାଦିକ ଜଣକ ହଲ୍ ପ୍ରବେଶ ପଥରେ ଠିଆ ହୋଇଥିଲେ । ଠିକ୍‌ ସେହି ସମୟରେ ପ୍ରଯୋଜକ ଟୁଟୁ ନାୟକ ପଛ ପଟୁ ଆସି ମହିଳା ସାମ୍ବାଦିକଙ୍କୁ ଥାପୁଡାଇ ଦେଇଥିଲେ ଫଳରେ ତାଙ୍କ ବୁମ୍ ଓ ମୋବାଇଲ ତଳେ ପଡିଯାଇଥିଲା । ପରେ ସେ ବୁମ୍ ନଉଠାଇ ଓଲଟା ତାଙ୍କ ଗାଲରେ ଚାପୁଡା ମାରି ସେଠାରୁ ପଳାଇ ଯାଇଥିଲେ । ଏସବୁ ଚିତ୍ର ସିସିଟିଭିରେ କଏଦ ହୋଇଥିଲା ।

ଟୁଟୁ ନାୟକଙ୍କ ଏଭଳି ଦୁର୍ବ୍ୟବହାର ପରେ ମହିଳା ସାମ୍ବାଦିକ ଜଣଙ୍କ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପୂରା ଘଟଣା କହିଥିଲେ । ଏଥି ସହ ଟୁଟୁ ନାୟକଙ୍କ ବିରୋଧରେ ଭୁବନେଶ୍ବର ଖାରବେଳନଗର ଥାନରେ ଏତଲା ମଧ୍ୟ ଦେଇଥିଲେ ମହିଳା ସାମ୍ବାଦିକ ।ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ । ସେ କହିଥିଲେ, ମୁଁ କ’ଣ ଗୁଣ୍ଡା ? ସେ ଗେଟ୍‌ ପାଖରେ ଠିଆ ହୋଇଥିବାରୁ ମୁଁ ତାକୁ ଥଟ୍ଟାମଜାରେ ସାଇଡ୍‌ ହେବାକୁ କହିଥିଲି । ଗଣମାଧ୍ୟମର ସମସ୍ତ ସାମ୍ବାଦିକଙ୍କୁ ମୁଁ ମୋର ପରିବାର ଭଳି ଭାବେ । ତେଣୁ ମୁଁ କାହାକୁ ଦୁର୍ବ୍ୟବହାର କରିନାହିଁ । ତେବେ ଟୁଟୁ ନାୟକଙ୍କ ବିରୋଧରେ ପୂର୍ବରୁ କାଷ୍ଟିଂ କାଉଚ୍‌ ଅଭିଯୋଗ ଆସିଥିବା ବେଳେ ଏବେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ସେ ଗିରଫ ହୋଇଛନ୍ତି ।

Related Posts