ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତାମିଲନାଡୁରେ TVK ର ଚେତାବନୀ । ଯଦି ସରକାର ଗଢ଼ିବା ପାଇଁ DMK-AIADMK ହାତ ମିଳାଇଲେ ତାହାଲେ ଇସ୍ତଫା ଦେବେ TVKର ୧୦୮ ବିଧାୟକ । ତେବେ ବିଜୟଙ୍କ ନେତୃତ୍ୱାଧୀନ ତାମିଲଗା ଭେଟ୍ରି କାଜଗମ (TVK) ଏବେ ଏକ ବଡ଼ ଧରଣର ଚେତାବନୀ ଦେଇଛି। ପାର୍ଟି ତର୍କ ଦେଇଛି ଯେ, ସବୁଠୁ ବଡ଼ ପାର୍ଟି ହୋଇଥିବାରୁ ରାଜ୍ୟପାଳଙ୍କୁ ସରକାର ଗଠନ ପାଇଁ ତାଙ୍କ ନେତା ବିଜୟଙ୍କୁ ଆମନ୍ତ୍ରିତ କରିବା ଉଚିତ୍। ମାତ୍ର ଏ ପର୍ଯ୍ୟନ୍ତ ରାଜ୍ୟପାଳ ସେମିତି କରି ନାହାନ୍ତି। ଓଲଟା ଥାଲାପତି ବିଜୟ ଦୁଇ ଦୁଇ ଥର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରି ସାରିଛନ୍ତି। ଏହା ସତ୍ତ୍ଵେ ରାଜ୍ୟପାଳ ସରକାର ଗଢିବାକୁ ଆମନ୍ତ୍ରିତ ନ କରି ୧୧୮ ବିଧାୟକଙ୍କ ସମର୍ଥନ ପତ୍ର ମାଗିଛନ୍ତି।

ତାମିଲନାଡୁ ନିର୍ବାଚନ ଫଳାଫଳ ଅନୁଯାୟୀ TVKକୁ ୧୦୮ଟି ଆସନ ମିଳିଥିବା ବେଳେ ବହୁମତ ପାଇଁ ଆବଶ୍ୟକ ୧୧୮ ସଂଖ୍ୟାରୁ ସେ ମାତ୍ର ୧୦ଟି ଆସନ ପଛରେ ଅଛନ୍ତି। କଂଗ୍ରେସ (୫ ଆସନ) TVKକୁ ସମର୍ଥନ ଦେବାକୁ ଘୋଷଣା କରିଥିଲେ ସୁଦ୍ଧା ଅନ୍ୟ ଦଳଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିନାହିଁ। ଏହି ସମୟରେ TVKକୁ ସନ୍ଦେହ ହେଉଛି ଯେ, DMK (୫୯ ଆସନ) ଏବଂ AIADMK (୪୭ ଆସନ) ଏକାଠି ହୋଇ ସରକାର ଗଠନ କରିପାରନ୍ତି କିମ୍ବା TVKକୁ ସରକାର ଗଢ଼ିବାକୁ ନଦେବା ପାଇଁ ହାତ ମିଳାଇ ପାରନ୍ତି।

ଏହା ହେଲେ ରାଜ୍ୟ ରାଜନୀତିରେ ଏହା ଏକ ବିରଳ ଘଟଣା ହେବ, କାରଣ ଏହି ଦୁଇ ଦଳ ଦଶନ୍ଧି ଦଶନ୍ଧି ଧରି ପରସ୍ପରର ଘୋର ଶତ୍ରୁ ଭାବେ ଜଣାଶୁଣା। ସେପଟେ ସମ୍ଭାବ୍ୟ ‘ଅପରେସନ ଲୋଟସ’ କିମ୍ବା ବିଧାୟକ କିଣାବିକାକୁ ରୋକିବା ପାଇଁ ସମସ୍ତ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। DMK ନିଜ ବିଧାୟକମାନଙ୍କୁ ଚେନ୍ନାଇ ବାହାରକୁ ନଯିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ AIADMK ନିଜ ବିଧାୟକଙ୍କୁ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ କହିଛି। TVKର ଏହି ସାମୂହିକ ଇସ୍ତଫା ନିଷ୍ପତ୍ତି ରାଜ୍ୟରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିପାରେ, ଯାହାଦ୍ୱାରା ରାଜ୍ୟରେ ପୁଣି ଥରେ ନିର୍ବାଚନ ହେବା ପରି ପରିସ୍ଥିତି ଉପୁଜିପାରେ।