ପୁଣି ବିବାଦରେ ଟ୍ବିଟର : ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଦର୍ଶାଇଲା ଅଲଗା ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୁଣି ବିବାଦ ଘେରରେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର । ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଭିନ୍ନ ଦେଶ ଭାବେ ନିଜ ମାନଚିତ୍ରରେ ଦର୍ଶାଇଛି । ଏହାକୁ ନେଇ ଭାରତ ସରକାର ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଟ୍ୱିଟର ବିରୋଧରେ କଡା ପଦକ୍ଷେପ ନେଇପାରନ୍ତି । ଟ୍ବିଟର ନିଜ ଓ୍ବେବସାଇଟ୍‌ରେ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଅନ୍ୟ ଏକ ଦେଶ ବୋଲି ଦର୍ଶାଇଛି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଟ୍ବିଟରର କ୍ୟାରିୟର ପେଜ୍‌ ଟ୍ବିପ୍‌ ଲାଇଫ୍‌ ସେକ୍ସନରେ ବିଶ୍ବ ମାନଚିତ୍ର ରହିଛି । ସେଠାରେ ସାରା ବିଶ୍ବରେ ଥିବା ଟ୍ବିଟର ଟିମ ବିଷୟରେ ସୂଚନା ଦିଆଯାଇଥାଏ । ସେହି ମାନଚିତ୍ରରେ ଭାରତର ମାନଚିତ୍ରକୁ ବିବାଦୀୟ ଭାବେ ପ୍ରଦର୍ଶିତ କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ ଟ୍ୱିଟର ବିରୋଧରେ ଭାରତ ସରକାର ଖୁବଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରନ୍ତି । ସୂଚନାଯୋଗ୍ୟ, ଦ୍ୱିତୀୟ ଥର ପାଇଁ ଟ୍ୱିଟର ଭାରତକୁ ନେଇ ଏପରି ଭୁଲ ମାନଚିତ୍ର ଉପସ୍ଥାପନ କରିଛି। ଏହା ପୂର୍ବରୁ ମଧ୍ୟ ଲଦାଖକୁ ମଧ୍ୟ ଭାରତ ମାନଚିତ୍ରରୁ ହଟାଇଥିଲା ଟ୍ବିଟର । କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇଥିଲା । ଟ୍ବିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଏବେ ଦିନକୁ ଦିନ ଉଗ୍ର ରୂପ ନେଉଛି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ବିଟରର କାର୍ଯ୍ୟକଳାପକୁ ନେଇ ବାରମ୍ବାର ଚେତାବନୀ ଦେଉଛନ୍ତି । କିଛିଦିନ ତଳେ କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକାଉଣ୍ଟକୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ କରାଯାଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଥିଲେ । ଟ୍ୱିଟର ମଧ୍ୟ ଏହାର ଉତ୍ତର କହିଥିଲା ଯେ କପିରାଇଟ ଆକ୍ଟର ଉଲଙ୍ଘନ ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ପୂର୍ବରୁ କିଛି ବିଜେପି ଓ ଆରଏସଏସ ନେତାଙ୍କ ବ୍ଲୁ ଟିକ୍ ହଟାଯିବାକୁ ନେଇ କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ଦେଖା ଦେଇଥିଲା ।

Related Posts