ମାଟ୍ରିକ୍ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଅଭିଭାବକ ଅସନ୍ତୁଷ୍ଟ : ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମାଟ୍ରିକ୍ ରେଜଲ୍ଟକୁ ନେଇ ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖିବାକୁ ମିଳିଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ସମେତ ଅଭିଭାବକମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। କଟକ, ପୁରୀ ଓ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ କିଛି ସ୍ଥାନରେ ଏଭଳି ଵିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ମାଟ୍ରିକ ରେଜଲ୍ଟକୁ ନେଇ କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲରେ ଏକାଠି ହୋଇ ବିରୋଧ କରିଛନ୍ତି । ସେହିପରି କଟକ ବୋର୍ଡ ଅଫିସ୍ ସମ୍ମୁଖରେ ଅସନ୍ତୁଷ୍ଟ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେଉଁ କାରଣରୁ ମାର୍କ କମ୍ ରହିଲା ସେ ନେଇ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତ୍ରୁଟିପୂର୍ଣ୍ଣ ମାର୍କିଂ ହୋଇଥିବା ନେଇ ଏହି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ମିଳିଥିବା ମାର୍କ ଭବିଷ୍ୟତରେ ସେମାନଙ୍କ କ୍ୟାରିୟରେ ଅସୁବିଧା ସୃଷ୍ଟି କରିବ। ତେଣୁ ସେମାନେ ପୁନଃ ମୂଲ୍ୟାୟନ ଦାବି କରିଛନ୍ତି। ତେବେ ସମାନ ପରିସ୍ଥିତି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି । ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାର୍କକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍କୁଲ ପରିସରରେ ଛାତ୍ରଛାତ୍ରୀମାନେ ରୁଣ୍ଡ ହୋଇ ଏହାର ପ୍ରତିବାଦ କରିବା ସହ ଏହାର ପୁନର୍ବିଚାର କରିବା ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ଥର କରୋନାର ଦ୍ବିତୀୟ ଲହର ଭୟାବହତାକୁ ନଜରରେ ରଖି ମାଟ୍ରିକ ପରୀକ୍ଷା ବାତିଲ୍ କରାଯାଇଥିଲା। ଏଥିପାଇଁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରି ଜୁନ୍ ୨୫ ତାରିଖରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା। କରୋନା ମହାମାରୀ କାରଣରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ୍ ପିଲାମାନଙ୍କର ପରୀକ୍ଷା କରାନଯାଇ ଫଳ ପ୍ରକାଶ କରାଯାଇଥିଲା। ବିକଳ୍ପ ବ୍ୟବସ୍ଥା ଯୋଗେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ୯୭.୮% ପିଲା ପାସ୍ କରିଛନ୍ତି। ପୂର୍ବରୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଯେଉଁ ପିଲାମାନେ ମାର୍କରେ ଅସନ୍ତୁଷ୍ଟ ସେମାନେ ସ୍ଥିତି ସୁଧାରିବା ପରେ ପୁଣି ଥରେ ପରୀକ୍ଷା ଦେଇ ପାରିବେ।

Related Posts