ଭାରତ ସରକାରଙ୍କ ସହ ବିବାଦ ମଧ୍ୟରେ ଇସ୍ତଫା ଦେଲେ ଟ୍ୱିଟର ଇଣ୍ଡିଆ ଅଭିଯୋଗ ନିବାରଣକାରୀ ଅଧିକାରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମ ପାଳନ କରି ଗତ କିଛି ଦିନ ତଳେ ଟ୍ୱିଟର ଇଣ୍ଡିଆ ଅଭିଯୋଗ ନିବାରଣ ଅଧିକାରୀ ଭାବେ ଧର୍ମେନ୍ଦ୍ର ଚତୁର ନିଯୁକ୍ତି କରିଥିଲା। ତେବେ ଭାରତ ସରକାର ଏବଂ ସୋସିଆଲ ମିଡିଆ କମ୍ପାନୀ ଟ୍ବିଟର ମଧ୍ୟରେ ଲାଗି ରହିଥିବା ତିକ୍ତତା ମଧ୍ୟରେ ଟ୍ୱିଟର ଇଣ୍ଡିଆ ଅଭିଯୋଗ ନିବାରଣ ଅଧିକାରୀ ଇସ୍ତଫା ଦେଇଛନ୍ତି। ଗୋଟିଏ ପଟେ ଟ୍ୱିଟର ଇଣ୍ଡିଆ ଭାରତ ସରକାରଙ୍କ ସହ ବିବାଦ ଲାଗି ରହିଥିବା ବେଳେ ବର୍ତ୍ତମାନ ନୂତନ ଆଇଟି ନିୟମ (ଆଇଟି ନିୟମ 2021) ଅନୁଯାୟୀ ଟ୍ବିଟର ଇଣ୍ଡିଆ ଅଧିକାରୀ ଅଭିଯୋଗ ନିବାରଣ ଅଧିକାରୀ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ମେ ୨୫ ରେ ଭାରତରେ ଲାଗୁ ନୂତନ ଆଇଟି ନିୟମ ଅନୁଯାୟୀ, ୫୦ ଲକ୍ଷରୁ ଅଧିକ ୟୁଜର୍ସ ଥିବା ସୋସିଆଲ ମିଡିଆ କମ୍ପାନୀକୁ ୟୁଜର୍ସଙ୍କ ଅଭିଯୋଗର ସମାଧାନ ପାଇଁ ଜଣେ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିବା ବାଧ୍ୟତାମୂଳକ କରାଯାଇଛି । ଏଥିସହ ଅଧିକାରୀଙ୍କ ନିଯୁକ୍ତି ସଂପର୍କରେ ସରକାରଙ୍କୁ ଜଣାଇବା ସହ ଅଧିକାରୀଙ୍କ ନାମ ଓ ଠିକଣାର ସବିଶେଷ ତଥ୍ୟ ପ୍ରଦାନ କରିବେ। ତେବେ କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ ନୂତନ ଆଇଟି ନିୟମ ଲାଗୁ କରିବାରେ ଟ୍ୱିଟର ପକ୍ଷରୁ ବିଳମ୍ବ ହୋଇଛି। ସୂଚନା ମୁତାବକ ଟ୍ୱିଟର ନିଜ ୱେବ୍‌ସାଇଟ୍‌ ରୁ ଧର୍ମେନ୍ଦ୍ର ଚତୁରଙ୍କ ନାଁ ହଟାଇ ଦେଇଛି। କୁହାଯାଉଛି ସେ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ୱେବସାଇଟରେ ତାଙ୍କ ନାଁ ପରିବର୍ତ୍ତେ ଆମେରିକାର ଏକ ଠିକଣା ଏବଂ ଇମେଲ ଆଇଡି ଦେଖିବାକୁ ମିଳୁଛି । ଗତ କିଛିଦିନ ହେବ ବିଭିନ୍ନ ପ୍ରସଙ୍ଗରେ ସରକାର ଏବଂ ଟ୍ୱିଟର ମଧ୍ୟରେ ବିବାଦ ଲାଗି ରହିଛି। ସଦ୍ୟତମ ଉଦାହରଣ ହେଉଛି କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକାଉଣ୍ଟକୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ କରାଯାଇଥିବା ନେଇ ମନ୍ତ୍ରୀ ଅଭିଯୋଗ କରିଥିଲେ । ଟ୍ୱିଟର ମଧ୍ୟ ଏହାର ଉତ୍ତର କହିଥିଲା ଯେ କପିରାଇଟ ଆକ୍ଟର ଉଲଙ୍ଘନ ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ପୂର୍ବରୁ କିଛି ବିଜେପି ଓ ଆରଏସଏସ ନେତାଙ୍କ ବ୍ଲୁ ଟିକ୍ ହଟାଯିବାକୁ ନେଇ କେନ୍ଦ୍ର ସରକାର ଏବଂ ଟ୍ବିଟର ମୁହାଁମୁହିଁ ହୋଇଥିଲେ।

Related Posts