ଆବାସିକ ବିଦ୍ୟାଳୟରେ ନାବାଳିକା ଗର୍ଭବତୀ ହେବା ମାମଲା : ଓଡିଶା ଡିଜିପିଙ୍କୁ ରିପୋର୍ଟ ମାଗିଲେ NHRC

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆବାସିକ ବିଦ୍ୟାଳୟ ଗୁଡିକରଜ ନାବାଳିକା ଛାତ୍ରୀମାନଙ୍କ ଗର୍ଭବତୀ ହେବା ଅଭିଯୋଗ ସଂପର୍କରେ ଜାତୀୟ ମାନବ ଅଧିକାର ଆୟୋଗ (NHRC) ଓଡିଶା ଡିଜିପିଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି। ମାନବ ଅଧିକାର ଓକିଲ ରାଧାକାନ୍ତ ତ୍ରିପାଠୀ NHRCଙ୍କ ନିକଟରେ ଆବାସିକ ବିଦ୍ୟାଳୟରେ ନାବାଳିକାଙ୍କ ଯୌନ ଶୋଷଣ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଳି ଘଟଣା ପାଇଁ ରାଜ୍ୟ ସରକାରଙ୍କ ଅବହେଳା ଏବଂ ନିଷ୍କ୍ରିୟତା ଦାୟୀ ବୋଲି ତ୍ରିପାଠୀ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ପୀଡିତଙ୍କ ପାଇଁ କ୍ଷତିପୂରଣ ଓ ଥଇଥାନ ବ୍ଯବସ୍ଥା କରିବାକୁ ସେ ଅନୁରୋଧ କରିଥିଲେ। “ ଓଡିଶାରେ ୧୬୭୦ ଆବାସିକ ବିଦ୍ୟାଳୟ ଏବଂ ୬ ହଜାର ହଷ୍ଟେଲରେ ୫ ରୁ ୧୮ ବର୍ଷ ବୟସର ପାଖାପାଖି ୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା, ଖାଦ୍ୟ, ପୋଷାକ ଏବଂ ଆବାସ ଯୋଗାଇ ଦିଆଯାଉଛି। ଏହା ମଧ୍ୟରୁ ୬୦% ବାଳିକା ଅଟନ୍ତି। ଆବାସିକ ବିଦ୍ୟାଳୟରେ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ପ୍ରାଧାନ୍ୟ ଦେଇଥାନ୍ତି ଏବଂ ଏଥିପାଇଁ ଅନେକ ପଦକ୍ଷେପ ନିଆଯାଇଛି ବୋଲି ସରକାର NHRCଙ୍କୁ ଜଣାଇଛନ୍ତି । ଆୟୋଗଙ୍କ ନିକଟରେ ଯୌନ ଶୋଷଣର ଶିକାର ହୋଇଥିବା ନାବାଳିକାଙ୍କ ରିପୋର୍ଟ ଉପସ୍ଥାପିତ କରାଯାଇଥିଲା । କୋରାପୁଟ, ଢେଙ୍କାନାଳ ଏବଂ କନ୍ଧମାଳ ଜିଲ୍ଲାରେ ଶୋଷଣର ଶିକାର ହୋଇଥିବା ପୀଡିତାଙ୍କୁ କ୍ଷତିପୂରଣ ଏବଂ ଥଇଥାନ ବିଷୟରେ NHRC କୁ ସୂଚନା ଦିଆଯାଇଥିଲା। ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ ନବରଙ୍ଗପୁର, ମାଲକାନଗିରି, କେନ୍ଦ୍ରାପଡା, ଯାଜପୁର ଏବଂ କଳାହାଣ୍ଡି ଜିଲ୍ଲା ଗୁଡ଼ିକରେ ଆକ୍ସନ୍ ଟେକେନ୍ ରିପୋର୍ଟ (ଏଟିଆର) ଗ୍ରହଣ କରାଯାଇ ନାହିଁ । ଆୟୋଗ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଚାରି ସପ୍ତାହ ମଧ୍ୟରେ ଆକ୍ସନ୍ ଟେକେନ୍ ରିପୋର୍ଟ ଦାଖଲ କରିବାକୁ ଡିଜିପିଙ୍କୁ କୁହାଯାଇଛି। ଏହା ବ୍ୟତୀତ ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିଶ୍ଚିତ କରିବା ଏବଂ ଚାରି ସପ୍ତାହ ମଧ୍ୟରେ ଟଙ୍କା ଦିଆଯାଇଥିବାର ପ୍ରମାଣ ଦାଖଲ କରିବାକୁ ଢେଙ୍କାନାଳ ଜିଲ୍ଲା ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି।

Related Posts