ନୂତନ ଆଇଟି ରାଜ୍ୟ ମନ୍ତ୍ରୀଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇଲା ଟ୍ବିଟର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସୋସିଆଲ ମିଡ଼ିଆ କମ୍ପାନି ଟ୍ବିଟର ଏବଂ ଭାରତ ସରକାରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ଆଇଟି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଆକାଉଣ୍ଟରୁ ସୋମବାର କିଛି ସମୟ ପାଇଁ ଟ୍ବିଟର ବ୍ଲୁ ଟିକ୍‌ ହଟାଇ ଦେଇଥିବା ଜଣାପଡ଼ିଛି। ମିଡିଆ ରିପୋର୍ଟ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଆକାଉଣ୍ଟର ନାଁ ପରିବର୍ତ୍ତନ କରିଥିବାରୁ ଏମିତି ହୋଇଥିବା କୁହାଯାଉଛି। 

  ରିପୋର୍ଟ ଅନୁଯାୟୀ ରାଜୀବ ଚନ୍ଦ୍ରଶେଖରଙ୍କ ଟ୍ବିଟ୍‌ର ଆକାଉଣ୍ଟ ପୂର୍ବରୁ Rajeev MP କିନ୍ତୁ ମନ୍ତ୍ରୀ ହେବା ପରେ ଟ୍ବିଟ୍‌ର ଆକାଉଣ୍ଟ ନାଁକୁ Rajeev_GOI କରିଥିବା ହେତୁ ଏମିତି ହୋଇଥିବା କୁହାଯାଇଛି । ଟ୍ବିଟର ନିୟମ ଅନୁଯାୟୀ ଯଦି କେହି ୟୁଜର ୬ ମାସ ପର୍ଯ୍ୟନ୍ତ ଟ୍ବିଟ୍‌ରରେ ଆକ୍ଟିଭ୍‌ ନରୁହନ୍ତି ତେବେ ତାଙ୍କ ନାଁ ଆଗରୁ ବ୍ଲୁ ଟିକ୍‌ ହଟାଇଦିଆଯାଏ ବୋଲି ଜଣାପଡ଼ିଛି।

ଚନ୍ଦ୍ରଶେଖର ନିକଟରେ ଆଇଟି ଏବଂ ଦକ୍ଷତା ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମକୁ ନେଇ ସରକାର ଏବଂ ଟ୍ୱିଟର ମଧ୍ୟରେ ଦେଖାଦେଇଥିବା ବିବାଦ ଉପରେ ସେ କହିଛନ୍ତି ଯେ ମୁଁ ବର୍ତ୍ତମାନ ଦାୟିତ୍ବ ଗ୍ରହଣ କରିଛି। ମନ୍ତ୍ରଣାଳୟ କେବେ ଏକପାଖିଆ ହୋଇ କାମ କରେ ନାହିଁ । ନୂତନ କେନ୍ଦ୍ର ମନ୍ତ୍ରୀଙ୍କ ସହ ବସି ଏହି ସବୁ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

   ସୂଚନାଯୋଗ୍ୟ ଯେ ବ୍ଲୁ ଟିକ୍ ହଟାଇବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପୂର୍ବତନ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ସମେତ ଅନେକ ନେତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ ହଟାଇଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସେ ସମୟରେ ବିବାଦ ସୃଷ୍ଟି ହୋଇଥିଲା।

 ନୂତନ ଆଇଟି ନିୟମ ଅନୁଯାୟୀ ଟ୍ୱିଟର ରବିବାର ଦିନ ବିନୟ ପ୍ରକାଶଙ୍କୁ ଭାରତ ପାଇଁ ରେସିଡେଣ୍ଟ ଅଭିଯୋଗ ଅଧିକାରୀ ଭାବରେ ନିଯୁକ୍ତ କରିଛି। ଭାରତରେ ନୂତନ ଆଇଟି ନିୟମ ପାଳନ କରିବାରେ ବିଫଳ ହୋଇଥିବାରୁ ଟ୍ୱିଟର ଏହାର ଆଇନଗତ ସୁରକ୍ଷା ହରାଇଥିଲା । ନୂତନ ଆଇଟି ନିୟମ ଅନୁଯାୟୀ, 50 ଲକ୍ଷରୁ ଅଧିକ ଉପଭୋକ୍ତା ଥିବା ସୋସିଆଲ ମିଡିଆ କମ୍ପାନୀଗୁଡିକ ତିନୋଟି ମୁଖ୍ୟ ନିଯୁକ୍ତ କରିବା ଆବଶ୍ୟକ କରନ୍ତି … ଚିଫ୍ କମ୍ପ୍ଲେନ୍ସ ଅଫିସର, ନୋଡାଲ ଅଫିସର ଏବଂ ଅଭିଯୋଗ ଅଧିକାରୀ।  ଏହି ତିନୋଟି ଅଧିକାରୀ ନିଶ୍ଚିତ ଭାବରେ ଭାରତର ବାସିନ୍ଦା ହୋଇଥିବା ଆବଶ୍ୟକ।ଟ୍ୱିଟର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ବିନୟ ପ୍ରକାଶ ହେଉଛନ୍ତି କମ୍ପାନୀର ରେସିଡେଣ୍ଟ ଅଭିଯୋଗ ଅଧିକାରୀ (ଆରଜିଓ)।  

Related Posts