ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନକଲି ଦସ୍ତଖତ କରି ବିବାଦରେ ଦୁଇ ଯନ୍ତ୍ରୀ। କ୍ୟାପିଟାଲ୍ ଥାନାରେ ମାମଲା । ତେବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତ ଜାଲି କରିବା, ସରକାରୀ ଡି.ଓ. ପ୍ୟାଡ୍ର ଦୁରୁପଯୋଗ କରିବା ଏବଂ ଜାଲ୍ ଦସ୍ତଖତ ବ୍ୟବହାର କରି ବଦଳି ହାସଲ କରିବା ଉଦ୍ଦେଶ୍ୟରେ ଷଡ଼୍ଯନ୍ତ୍ର ରଚାଯାଇଥିବା ଅଭିଯୋଗରେ ଦୁଇ ଜଣ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯାଇଛି ।
ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ସା କ୍ୟାପିଟାଲ ଥାନାର ଆଇଆଇସିଙ୍କୁ ଲେଖିଥିବା ଚିଠିରେ ବାଂଶପାଳ ବ୍ଲକ୍ର ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଏବଂ ହରିଚନ୍ଦନପୁର ବ୍ଲକ୍ର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ, ଉଭୟ ଅଧିକାରୀ ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ଏବଂ ତାଙ୍କ କାର୍ଯ୍ୟାଳୟର ଅଧିକୃତ ଡି.ଓ. ପ୍ୟାଡ୍ ବ୍ୟବହାର କରି ଜାଲ୍ ଦସ୍ତାବେଜ ପ୍ରସ୍ତୁତ କରିଥିଲେ। ପରେ ସେହି ଦସ୍ତାବେଜକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିକଟରେ ଦାଖଲ କରି ସୁନ୍ଦରଗଡ଼ ଜିଲ୍ଲାର ବରଗାଁ ଓ ସଦର ବ୍ଲକ୍କୁ ବଦଳି ପାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଉପବାଚସ୍ପତିଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି ଯେ, ଉକ୍ତ ଚିଠିଗୁଡ଼ିକ କେବେ ବି ତାଙ୍କ କାର୍ଯ୍ୟାଳୟରୁ ଜାରି କିମ୍ବା ଅନୁମୋଦିତ ହୋଇନଥିଲା ।
