ରାସ୍ତା ଉପରୁ ଆହତ ଚିଲକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ଦୁଇ ଜଣଙ୍କ ଜୀବନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାସ୍ତାରୁ ଚିଲକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ଦୁଇ ଜଣଙ୍କ ଜୀବନ । ତେବେ ରାସ୍ତା ଉପରେ ପଡ଼ିଥିବା ଆହତ ଚିଲକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ୨ ଜଣଙ୍କ ଉପରେ ମାଡ଼ି ଯାଉଛି ଗୋଟିଏ କାର। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଛନ୍ତି। ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କରେ ଘଟିଥିବା ଏହି ଘଟଣାର ପୂରା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭରେ କଏଦ ହୋଇଛି। ପୁଲିସ୍ର ସୂଚନା ଅନୁଯାୟୀ, ମେ’ ୩୦ ତାରିଖରେ ୪୩ ବର୍ଷୀୟ ଅମର ମନୀଷ ଜରିୱାଲା ନିଜ ଗାଡ଼ିରେ ବ୍ରାନ୍ଦ୍ରା-ୱର୍ଲି ସି’ ଲିଙ୍କ ଦେଇ ମାଲଦା ଯାଉଥିଲେ। ଏହି ସମୟରେ ଗୋଟିଏ ଚିଲ ତାଙ୍କ ଗାଡ଼ି ତଳକୁ ଚାଲି ଆସିଥିଲା।

ଏହା ଦେଖି ଜରିୱାଲା ତାଙ୍କ ଡ୍ରାଇଭର ଶ୍ୟାମ ସୁନ୍ଦର କାମାତଙ୍କୁ ଗାଡ଼ି ଅଟକାଇବାକୁ କହିଥିଲେ। ଏହାପରେ ଉଭୟ ଗାଡ଼ିରୁ ଓହ୍ଲାଇ ଏହା ତଳେ ଫସିଥିବା ଚିଲକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। ସେମାନେ ଚିଲକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ମାଲଦା ଆଡ଼େ ଯାଉଥିବା ଗୋଟିଏ ଦ୍ରୁତଗାମୀ ଟ୍ୟାକ୍ସି ଉଭୟଙ୍କୁ ଜୋରଦାର ଧକ୍କା ଦେଇଥିଲା।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଛିଟିକି ପଡ଼ିଥିଲେ। ଜରିୱାଲା ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ଶ୍ୟାମ ସୁନ୍ଦରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଶ୍ୟାମ ସୁନ୍ଦର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।

Related Posts