ମଣିଷ-ପଶୁ ସମ୍ପର୍କର ଦୁଇଟି ଦୃଶ୍ୟପଟ୍ଟ : ଜଣେ ପୋଷା କୁକୁରର ମୃତ୍ୟୁ ପରେ କ୍ରିୟାକର୍ମ କରି ଭୋଜିଭାତ ଦେଲେ ଆଉ ଜଣେ ବିଷଦେଇ ୫ କୁକୁରକୁ ମାରିଦେଲେ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପଶୁ-ମଣିଷର ସମ୍ପର୍କ କିଭଳି ? ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ଏବେ ପଶୁ-ମଣିଷ ସମ୍ପର୍କର ଦୁଇଟି ଉଦାହରଣ ଏବେ ସାମ୍ନାକୁ ଆସିଛି। କିଏ ପୋଷା କୁକୁରର ମୃତ୍ୟୁରେ ପରିବାରର ସଦସ୍ୟ ଭଳି କ୍ରିୟାକର୍ମ କରି ଭୋଜିଭାତ ଦେଉଛି ତ ପୁଣି ଆଉ କିଏ ଗୁଲୁଗୁଲାରେ ଦାନାଦାର ଦେଇ ୫ କୁକୁରଙ୍କ ଜୀବନ ନେଇଗଲେ।

ପଶୁ ମଣିଷ ଭଲ ପାଇବାର ନିଆରା କାହାଣୀ ଆସିଛି ଭଦ୍ରକ ଜିଲ୍ଲାରୁ ଦୀର୍ଘ ୧୩ ବର୍ଷ ପୂର୍ବେ ଭଦ୍ରକ ସହରର ଚରମ୍ପା ବଜାରରେ ଜନ୍ମ ନିଏ ଗୋଟିଏ କୁକୁର ଛୁଆ । ଛୋଟ ଅବସ୍ଥାରେ ଏକ ସଡ଼କ ଦୁର୍ଘଟଣାରେ ୨ ଭାଇଭଉଣୀଙ୍କୁ ହରାଇବା ପରେ ସ୍ଥାନୀୟ ଦୋକାନୀମାନେ ତାକୁ ପୋଷା ଭାବେ ପାଖରେ ରଖିଲେ । ନାଁ ଦେଲେ ଚମ୍ପୀ , କିଏ ତାକୁ ଚମ୍ପି ଡାକୁଥିଲା ତ ଆଉ କିଏ ଝୁମୁରି ଡାକୁଥିଲା । ତେବେ ଗଣେଶ ପୂଜା ଦିନ ଚମ୍ପୀର ମୃତ୍ୟୁ ହୋଇଥିଲା। ଏହାପରେ ଯଥା ରୀତିନୀତି ଅନୁସାରେ ଚମ୍ପିର ଶବ ସତ୍କାର କରାଯାଇଛି ।ସାଧାରଣ ଲୋକଙ୍କ ଭଳି ଚମ୍ପି ପାଇଁ ଦୋକାନୀ ନଣ୍ଡା ହେବା ସହ ଶୁଦ୍ଧି କ୍ରିୟା ମଧ୍ୟ କରିଛନ୍ତି । ଏକାଦଶ କ୍ରିୟାରେ ୫୦୦ରୁ ଅଧିକ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା । ଚମ୍ପିର ଅକାଳ ମୃତ୍ୟୁରେ ଚରମ୍ପା ବଜାରରେ ଶୋକର ଛାୟା ଖେଳିଯାଇଛି । ପଶୁ ପ୍ରତି ଅନାବିଳ ସ୍ନେହ ସମାଜ ପାଇଁ ଏକ ଉଦାହରଣ, ଯାହାକୁ ସାଧାରଣରେ ବେଶ ପ୍ରଂଶସା କରାଯାଉଛି ।

ତେବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି କଟକ ଚୌଦାର ଶଙ୍କରପୁର ଅଞ୍ଚଳରୁ । ପଶୁ ମଣିଷ ସମ୍ପର୍କର ଏହା ଏକ ଏମିତି ଖବର ଯାହା ମଣିଷ ସମାଜର ମୁଣ୍ଡକୁ ତଳକୁ କରିଦେବ । ଅରକ୍ଷିତ ସାହୁ ନାମକ ଜଣେ ବ୍ୟକ୍ତି ଗୁଲୁଗୁଲାରେ ଦାନାଦାର ଦେଇ ୫ କୁକୁରଙ୍କୁ ମାରିଦେଇଛନ୍ତି । ଅରକ୍ଷିତଙ୍କ ଘରେ ବୁଲା କୁକୁରମାନେ ବାରମ୍ବାର ପଶୁଥିଲେ ଏବଂ ତାଙ୍କ ବାରଣ୍ଡାରେ ଥିବା ଚୁଲିରେ ମଳତ୍ୟାଗ କରୁଥିଲେ। ଏହା ଦେଖି ରାଗିଯାଇଥିଲେ ଅରକ୍ଷିତ । ଆଉ ଶେଷରେ ଖାଦ୍ୟରେ ବିଷ ମିଶାଇ ୫ଟି କୁକୁରଙ୍କୁ ଜୀବନରୁ ମାରି ଦେଲେ । ଏଭଳି ଅମାନବୀୟ କାଣ୍ଡ ବିଷୟରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ, ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।

Related Posts