
ଭୁବନେଶ୍ବର: ଆକ୍ସନରେ ରାଜ୍ୟ ଶାସକ ଦଳ ବିଜେଡି | ଦଳ ବିରୋଧୀ କାର୍ଯ୍ୟ କରିବା ଦୁଇ ବରିଷ୍ଠ ବିଜେଡି ନେତାଙ୍କୁ ଭାରି ପଡିଛି | ବିଜେଡିରୁ ନିଲମ୍ବିତ ହେଲେ ଦୁଇ ବରିଷ୍ଠ ନେତା । ପାରଳାଖେମୁଣ୍ଡିର ସହର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ ଓ ଗଜପତି ଜିଲ୍ଲାର ଉପସଭାପତି କେ ଆପ୍ପାରାଓ ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ବିଜେଡି ଗଣମାଧ୍ୟମ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏନେଇ ସୂଚନା ଦେଇଛନ୍ତି ।
ପୂର୍ବରୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବା ନେତାଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସିଛି । ଏବେ ପୁଣି ଏହି ଘଟଣାରେ ଦୁଇ ବରିଷ୍ଠ ନେତା ଦଳରୁ ନିଲମ୍ବିତ ହୋଇଛନ୍ତି । ଉଭୟ ସୂର୍ଯ୍ୟ ନାରାୟଣ ରାଜଗୁରୁ ଓ କେ ଆପ୍ପାରାଓ ଦୀର୍ଘ ଦିନ ହେଲା ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜେଡି ସଭାପତିଙ୍କୁ ରିପୋର୍ଟ ଦେଇଥିଲେ । ଏହି ଅଭିଯୋଗର ପ୍ରମାଣ ମିଳିବା ପରେ ଉଭୟଙ୍କୁ ବିଜେଡି ସଭାପତି ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି ।