
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ବିଭିନ୍ନ ପ୍ରକାରର ଯୋଜନା ନେଇ ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଯାଉଛନ୍ତି । ସେପଟେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳମାନେ ନିଜର ଷ୍ଟାର ପ୍ରଚାରକଙ୍କ ମଧ୍ୟ ନିୟୋଜିତ କରିଛନ୍ତି । ହେଲେ ନିର୍ବାଚନ ପ୍ରଚାର କରିବା ପାଇଁ ଦୁଇ ଶିକ୍ଷକ ବିଦ୍ୟାଳୟ ଛାଡ଼ି ପ୍ରଚାର କରୁଥିବାର କଥା ସାମ୍ନାକୁ ଆସିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଅସନପୁର ପଞ୍ଚାୟତରେ। ଏହି ପଞ୍ଚାୟତରେ ୨ ଜଣ ଶିକ୍ଷକ ନିର୍ବାଚନ ପ୍ରଚାର କରୁଥିବାର ଭିଡିଓ ଭାଇରାଲ ହୋଇଛି। ଦୁଇ ଶିକ୍ଷକ ଜଣଙ୍କ ହେଲେ ସୁଜିତ୍ କୁମାର ଦାଶ ଓ ଅଶୋକ ଦାସ। ସୁଜିତ୍ କୁମାର ଦାଶ ଯାଜପୁର ଦଶରଥପୁର ବ୍ଲକ ଗାରେଡେଶ୍ୱର ଏମ.ଇ. ସ୍କୁଲର ଶିକ୍ଷକ ଭାବେ କାର୍ୟ୍ୟରତ ଅଛନ୍ତି। ସେହିପରି ଅଶୋକ ଦାସ ମଧୁପୁର ସ୍କୁଲର ଶିକ୍ଷକ ବୋଲି ଜଣାପଡିଛି।
ପାଞ୍ଚ ଦିନ ତଳେ ଅସନପୁର ପଞ୍ଚାୟତରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଦଳୀୟ ର୍ନିବାଚନୀ ସଭା କରୁଥିଲେ। ଏହି ସମୟରେ ଦୁଇ ଶିକ୍ଷକ ମହୋଦୟ ଆଇନକୁ ଖାତିର ନ କରି ସଭାରେ ଉପସ୍ଥିତ ରହି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିବା ଅଭିଯୋଗ ହୋଇଛି। ଆଉ ଏହାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ସେହିପରି ବରୀ ବ୍ଲକ ବାଲିବିଲ ପଂଚାୟତରେ ଭେଟନାରୀ ଏମଭିୟୁ ଆଟେଣ୍ଡାଣ୍ଟ ସୁଜତ ସାମଲ ମଧ୍ୟ ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ସହ ପ୍ରଚାର ବେଳେ ଉପସ୍ଥିତ ଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏନେଇ ଯାଜପୁର ଜିଲ୍ଲାପାଳ କହିଛନ୍ତି, ନିବାର୍ଚନ ପାଇଁ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ରହିଛି ଯେ ଯେଉଁମାନେ ଏଭଳି ଆଇନ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କୁ ତୁରନ୍ତ ସସପେଣ୍ଡ କରାଯିବ। ଏହା ପରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ କରାଯିବ। ଏ ଖବର ସାମ୍ନାକୁ ଆସିବା ପରେ ଓଡ଼ିଶାର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।