୧୯ ବର୍ଷରୁ କମ୍ ବିଶ୍ୱକପ: ଆଜି ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

 ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ):  ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ର ଫାଇନାଲ୍‌ ମୁକାବିଲା । ରବିବାର ଖେଳାଯିବ ଫାଇନାଲ ମ୍ୟାଚ୍‌ । ଭାରତୀୟ ସମୟ ଅପରାହ୍ଣ ୧.୩୦ ମିନିଟ୍‌ରେ ମ୍ୟାଚ୍‌ ଆରମ୍ଭ ହେବ । ଉଭୟ ଦଳ ଏହି ମ୍ୟାଚ୍‌ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ଅଷ୍ଟ୍ରେଲିଆ ଏଥର ୨୦୧୨ ଓ ୨୦୧୮ ଫାଇନାଲ୍‌ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।

ମାତ୍ର ପୂର୍ବ ରେକର୍ଡକୁ ଗଣନା କଲେ ଭାରତର ପଲ୍ଲା ଭାରି ରହିବ । ଭାରତ ୫ଥର ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇ ସାରିଛି । ଅଷ୍ଟ୍ରେଲିଆ ୩ଥର ବିଶ୍ୱ ବିଜେତା ହୋଇଛି । ୧୯୮୮ରେ ଅନୁଷ୍ଠିତ ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇଥିଲା । ଫାଇନାଲ୍‌ରେ ଦଳ ପାକିସ୍ତାନକୁ ୫ ୱିକେଟ୍‌ରେ ହରାଇଥିଲା । ଏହାପରେ ଅଷ୍ଟ୍ରେଲିଆ ୨୦୦୨ ଓ ୨୦୧୦ରେ ଚାମ୍ପିଅନ ହୋଇଛି । 

ଏହାବ୍ୟତୀତ ଦଳ ୨୦୧୨ ଓ ୨୦୧୮ ବିଶ୍ୱକପ୍‌ ଫାଇନାଲ୍‌ରେ ପରାଜିତ ହୋଇ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା । ଉଭୟ ଥର ଭାରତ ଠାରୁ ଦଳ ପରାଜିତ ହୋଇଥିଲା । ଭାରତ ୨୦୦୦ ମସିହାରେ ପ୍ରଥମ କରି ଟାଇଟଲ ହାସଲ କରିଥିଲା । ଫାଇନାଲରେ ଦଳ ଶ୍ରୀଲଙ୍କାକୁ ୬ ୱିକେଟ୍‌ରେ ହରାଇଥିଲା । ଏହାପରେ ବିରାଟ କୋହଲିଙ୍କ ନେତୃତ୍ୱରେ ୨୦୦୮, ଉନ୍‌ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ୨୦୧୨, ପୃଥ୍ୱୀ ଶ’ଙ୍କ ନେତୃତ୍ୱରେ ୨୦୧୮ ଓ ୟଶ ଧୂଲଙ୍କ ନେତୃତ୍ୱରେ ୨୦୨୨ ବିଶ୍ୱକପ୍‌ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା । ଏହା ବ୍ୟତୀତ ଭାରତ ୨୦୦୬, ୨୦୧୬ ଓ ୨୦୨୦ ବିଶ୍ୱକପ୍‌ରେ ରନର୍ସ ଅପ୍‌ ହୋଇଥିଲା ।

Related Posts