ଗତ ପଞ୍ଚ ବର୍ଷରେ କେବିକେ ଜିଲ୍ଲାରେ ୧୪ଶହରୁ ଅଧିକ ବାଲ୍ୟ ବିବାହ ହୋଇଛି; ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର

 ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ):  ରାଜ୍ୟର କେବିକେ ଜିଲ୍ଲାଗୁଡିକରେ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୪ଶହରୁ ଅଧିକ ବାଲ୍ୟ ବିବାହ ହୋଇଛି । ବାଲ୍ୟ ବିବାହ କରିଥିବା ଝିଅମାନଙ୍କ ବୟସ ୧୮ବର୍ଷରୁ କମ୍‍ ହୋଇଥିବାବେଳେ ସର୍ବାଧିକ ବାଲ୍ୟବିବାହ ମାଲକାନଗିରି ଜିଲ୍ଲାରେ ଘଟିଛି ।

କେବିକେ ଜିଲ୍ଲାରେ ବାଲ୍ୟବିବାହ ସଂକ୍ରାନ୍ତରେ ବିଧାନସଭାରେ ଆସିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଗତ ୫ବର୍ଷରେ କେବିକେ ଜିଲ୍ଲାରେ ମୋଟ୍‍ ୧୪୧୭ଟି ବାଲ୍ୟ ବିହାହ ହୋଇଥିବାବେଳେ ଏହା ୫ଟି ଜିଲ୍ଲାରେ ଘଟିଛି । ତେବେ ସର୍ବାଧିକ ୫୮୦ଟି ବାଲ୍ୟ ବିବାହ ମାଲକାନଗିରି ଜିଲ୍ଲାରେ ହୋଇଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ଏହି ସଂଖ୍ୟା ୪୧୫, କୋରାପୁଟରେ ୩୮୯, ବଲାଙ୍ଗିରରେ ୨୧ ଓ ସୋନପୁରରେ ୧୨ଟି ବାଲ୍ୟ ବିବାହ ହୋଇଛି । ତେବେ କଳାହାଣ୍ଡି, ନୂଆପଡା ଓ ରାୟଗଡା ଜିଲ୍ଲାରେ କୌଣସି ବାଲ୍ୟ ବିବାହ ହୋଇନାହିଁ ।

ସେହିଭଳି କେବିକେ ସମେତ ଜନଜାତି ବହୁଳ ୧୬ଟି ଜିଲ୍ଲାରେ ମହିଳା ଓ ବାଳିକାମାନଙ୍କ ରକ୍ତହୀନତା ସଂକ୍ରାନ୍ତରେ ସୂଚନା ଦେଇ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୫ରୁ ୪୯ ବର୍ଷ ବୟସର ମହିଳାମାନଙ୍କ ରକ୍ତହୀନତା କ୍ଷେତ୍ରରେ ସବୁଠାରୁ ଆଗର ରହିଛି ମୟୁରଭଞ୍ଜ । ଏଠାରେ ୭୩ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହୋଇଥିବାବେଳେ ଦେବଗଡ ଓ ମାଲକାନଗିରି ଜିଲ୍ଲାରେ ଏହା ପ୍ରାୟ ୭୨ ପ୍ରତିଶତ ରହିଛି । କନ୍ଧମାଳ ଜିଲ୍ଲାରେ ରକ୍ତହୀନତାର ହାର ୫୦ ପ୍ରତିଶତ ତଳେ ରହିଥିବାବେଳେ ଅନ୍ୟ ୧୫ଟି ଜିଲ୍ଲାରେ ଏହା ୬୦ରୁ ୭୦ ପ୍ରତିଶତ ମଧ୍ୟରେ ରହିଛି ।

ସେହଭଳି କେବିକେ ସହିତ ମୋଟ୍‍ ୧୬ଟି ଜିଲ୍ଲାରେ କମ୍‍ ଓଜନର ଶିଶୁ ମଧ୍ୟ ରହିଛନ୍ତି । ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ୪୬.୬ ପ୍ରତିଶତ ଶିଶୁ କମ୍‍ ଓଜନର ଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ଏହା ୪୧ ପ୍ରତିଶତରୁ ଅଧିକ ରହିଛି । ସବୁଠାରୁ କମ୍‍ ମାତ୍ର ୧୧ ପ୍ରତିଶତ ଶିଶୁ କନ୍ଧମାଳ ଜିଲ୍ଲାରେ ଥିବାବେଳେ ରାୟଗଡାରେ ଏହା ୧୧.୩ ପ୍ରତିଶତ ରହିଛି । ମୟୁରଭଞ୍ଜ ଓ ମାଲକାନଗିରିରେ ଏହି ହାର ୨୦ ପ୍ରତିଶତ ତଳେ ଥିବାବେଳେ ଅନ୍ୟ ପ୍ରାୟ ସବୁ ଜିଲ୍ଲାରେ ଏହା ୩୦ ପ୍ରତିଶତ ଏବଂ ଏହାଠାରୁ ଅଧିକ ରହିଛି ।

କେବଳ କମ୍‍ ଓଜନର ଶିଶୁ ନୁହନ୍ତି, ବିଭିନ୍ନ କାରଣରୁ ଏହିସବୁ ଜିଲ୍ଲାରେ କମ୍‍ ଉଚ୍ଚତା ଓ ଦୁର୍ବଳ ଶରୀରର ଶିଶୁ ମଧ୍ୟ ରହିଛନ୍ତି । ମାଲକାନଗିରି ଜିଲ୍ଲାରେ ୪୪ ପ୍ରତିଶତରୁ ଅଧିକ ଶିଶୁ ବୟସ ତୁଳନାରେ କମ୍‍ ଉଚ୍ଚତାର ହୋଇଥିବାବେଳେ ମୟୁରଭଞ୍ଜରେ ୨୮ ପ୍ରତିଶତରୁ ଅଧିକ ଶିଶୁ ବୟସ ତୁଳନାରେ ଦୁର୍ବଳ ଶରୀରର ଅଟନ୍ତି । ତେବେ ବଲାଙ୍ଗିର, ଦେବଗଡ, କନ୍ଧମାଳ ଜିଲ୍ଲାରେ ୧୨ ପ୍ରତିଶତରୁ ଅଧିକ ଶିଶୁ ବୟସ ତୁଳନାରେ ଅତିଶୟ ଦୁର୍ବଳ ଶରୀରର ହୋଇଥିବାବେଳେ ସୋନପୁରରେ ଏହା ୧୧.୭ ଓ ମୟୁରଭଞ୍ଜରେ ୧୦.୪ ପ୍ରତିଶତ ରହିଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

Related Posts