ରୁଷ ପାଖରୁ ରିହାତି ଦରରେ ଅଶୋଧିତ ତେଲ କିଣିବ ଭାରତ । ରୁଷ ଭାରତକୁ ରିହାତିରେ ତେଲ ଦେବା ନେଇ ଅଫର ଦେଇଥିବା ବେଳେ, ଯାହାକୁ ନେଇ ସହମତି ପ୍ରକାଶ କରିଛି ଭାରତ । ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅନେକ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲଗାଉଥିବା ବେଳେ, ଭାରତର ରୁଷ ଠାରୁ ଅଶୋଧିତ ତେଲ କିଣିବାକୁ ନେଇ ଆଣେ ଦେଶ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ତେବେ ଏହାରି ମଧ୍ୟରେ ଏନେଇ ହ୍ୱାଇଟ୍ ହାଉସ୍ ଜବାବ ରଖିଛି । ଭାରତ ରୁଷ ପାଖରୁ ତେଲ କିଣିଲେ ଆମର କୌଣସି ଅସୁବିଧା ନାହିଁ କିମ୍ବା ଏହା କୌଣସି ଚୁକ୍ତିର ଉଲ୍ଲଘଂନ ନୁହେଁ । କିନ୍ତୁ ଇତିହାସ ଯେତେବେଳେ ଲେଖାଯିବ ସେତେବେଳେ ଜଣାପଡ଼ିବ ଭାରତ ଯୁଦ୍ଧ ବେଳେ କ’ଣ ଆଭିମୁଖ୍ୟ ରଖିଛି । ହ୍ୱାଇଟ୍ ହାଉସ୍ ଏଭଳି କହି ଭାରତକୁ ପରୋକ୍ଷରେ ଚେତାବନୀ ଦେଇଛି ।
ଏଭଳି ପଦକ୍ଷେପ ବିଶ୍ବର ବୃହତ୍ତମ ଗଣତନ୍ତ୍ରକୁ (ଭାରତ) ଇତିହାସର ଭୁଲ୍ ଭାବେ ଉପସ୍ଥାପନ କରିବ ବୋଲି ମଙ୍ଗଳବାର ଦିନ ଆମେରିକା କହିଛି।
ସମସ୍ତ ରୁଷୀୟ ଶକ୍ତି (ଏନର୍ଜି) ଆମଦାନି ଉପରେ ଯୁକ୍ତରାଷ୍ଟ୍ର ଆମେରିକା କଟକଣା ଜାରି କରିବାର ସପ୍ତାହକ ପରେ ରୁଷ୍ ରିହାତି ଦରରେ ଯାଚୁଥିବା ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଖରିଦ କରିବାକୁ ଭାରତର ବିଚାର ବିଷୟରେ ପଚରାଯିବାରୁ ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ ଜେନ୍ ସାକି କହିଲେ, ଯୁକ୍ତରାଷ୍ଟ୍ର ଆମେରିକା ଜାରି କରିଥିବା କଟକଣାକୁ ମାନିବା ପାଇଁ ଜୋ ବାଇଡେନ୍ ପ୍ରଶାସନ ଦେଶମାନଙ୍କୁ କହିଛି।
କିନ୍ତୁ, ମୋର ମନେହୁଏ, ଭାରତ ରୁଷ୍ରୁ ତୈଳ ଖରିଦ କରିବା କଟକଣା ଉଲ୍ଲଂଘନ ନୁହେଁ। କିନ୍ତୁ, ଭାରତର ସ୍ଥାନ ବିଷୟରେ ମୁଁ ବିଚାର କରୁଛି। ଏଇ ସମୟର ଇତିହାସ ପୁସ୍ତକ ଲେଖା ହେଲେ, ସେଥିରେ ଲେଖାଯିବ ରୁଷ୍କୁ ସମର୍ଥନ କରିବା, ରୁଷୀୟ ନେତୃତ୍ବକୁ ସମର୍ଥନ କରିବା ହେଉଛି ଆକ୍ରମଣକୁ ସମର୍ଥନ କରିବା।
ସୂଚନାଯୋଗ୍ୟ, ବିଶ୍ୱରେ ଅଶୋଧିତ ତୈଳ ଉତ୍ପାଦନରେ ଆମେରିକା ଆଗରେ ରହିଥିବା ବେଳେ ଦ୍ୱିତୀୟରେ ରହିଛି ରୁଷ । ରୁଷ ଆକ୍ରମଣକୁ ନେଇ ଭାରତ ଏଯାବତ୍ ନିଜର ଆଭିମୁଖ୍ୟ ନିରପେକ୍ଷ ରଖିଛି । ଲୋକଙ୍କ ଉପରେ ଆକ୍ରମଣ ଠିକ୍ ନୁହେଁ, ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ ବୋଲି କହିଛି ଭାରତ । କିନ୍ତୁ ଜାତିସଂଘରେ ଏହି ପ୍ରସଙ୍ଗରେ ଭୋଟ୍ ବେଳେ ଭାରତ ବିରତି ରହିଥିଲା । କିନ୍ତୁ ଆମେରିକା ଏବଂ କିଛି ୟୁରୋପିଆନ୍ ଦେଶ ରୁଷର ଆକ୍ରମଣକୁ ବିରୋଧ କରି ଭୋଟ୍ ଦେଇଥିଲେ ।





