କ୍ଷମତା ପାଇଁ ବିଜେପିକୁ ପଛପଟୁ ଛୁରା ମାରିଥିଲେ ଉଦ୍ଧବ, ହେଲେ ଏବେ ତାଙ୍କୁ ଉଚିତ୍ ଜବାବ୍ ଦିଆଯାଇଛି: ଜେପି ନଡ୍ଡା

ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): କ୍ଷମତା ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିଜେପିକୁ ପଛପଟୁ ଛୁରା ମାରିଛନ୍ତି। ଉଦ୍ଧବ ଠାକରେ କ୍ଷମତା ପାଇଁ ନିଜ ଆଦର୍ଶ ସହ ସାଲିସ କରିଛନ୍ତି। କିନ୍ତୁ ମହାରାଷ୍ଟ୍ରରେ ବର୍ତ୍ତମାନ ଏକ ନୂତନ ସରକାର ଗଠନ ମାଧ୍ୟମରେ ଏହାର ଉଚିତ୍ ଜାବବ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହା କହିଛନ୍ତି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଆଜି ନଡ୍ଡା ‘ବିଜୟ ସଙ୍କଳ୍ପ ‘ ସମାବେଶକୁ ସମ୍ବୋଧିତ କରି ଉଦ୍ଧବଙ୍କୁ ଏଭଳି ଟାର୍ଗେଟ କରିଛନ୍ତି।

ତେବେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ପାଇଁ ଚାଲେଞ୍ଜି ଥିବା ୧୮ଟି ଆସନକୁ ନିଜ ହାତକୁ ଆଣିବା ଉଦ୍ଦେଶ୍ୟରେ ଏଭଳି ରାଲି ଆୟୋଜନ କରାଯା‌ଇଥିବା କୁହାଯାଇଛି। ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଉଦ୍ଧବ ଠାକରେଙ୍କ ଦଳ ନିଜର ଦୀର୍ଘ ଦିନର ସହଯୋଗୀ ବିଜେପି ସହିତ ସମ୍ପର୍କ ଛିନ୍ନ କରିଥିଲା। ପରେ ଉଦ୍ଧବ ଠାକରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ କଂଗ୍ରେସ ସହିତ ବୁଝାମଣା କରି ରାଜ୍ୟରେ ମହା ବିକାଶ ଅଘାଡ଼ି (ଏମଭିଏ) ସରକାର ଗଠନ କରିଥିଲେ। ଗତ ବର୍ଷ ଜୁନ୍ ମାସରେ ଶିବସେନାର ବିଦ୍ରୋହୀ ନେତା ଭାବେ ଏକନାଥ ସିନ୍ଧେ ଉଭା ହୋଇ କ୍ଷମତା କେନ୍ଦ୍ରକୁ ଅପହରଣ କରିନେଇଥିଲେ। ଏହା ପରେ ଠାକରେ ସରକାରଙ୍କ ପତନ ହୋଇଥିଲା।

ଶ୍ରୀ ସିନ୍ଧେ ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିବା ସହ ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଜି ନଡ୍ଡା କହିଛନ୍ତି ଯେ, ନିର୍ବାଚନ ବେଳେ ଦିଲ୍ଲୀରେ ନରେନ୍ଦ୍ର ଏବଂ ମହାରାଷ୍ଟ୍ର ଦେବେନ୍ଦ୍ର ବୋଲି ସହମତି ହୋଇଥିଲା। କିନ୍ତୁ, ଯେତେବେଳେ ନିର୍ବାଚନ ଫଳାଫଳ ବାହାରିଲା ସେତେବେଳେ ସେମାନେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆମ ସହ ବିଶ୍ୱାସଘାତକ କଲେ । ସେମାନଙ୍କ ଅନୈତିକ ସମ୍ପର୍କ ବେଶୀଦିନ ତିଷ୍ଟିଲା ନାହିଁ ବୋଲି ସେ କହିଛନ୍ତି।

କ୍ଷମତା ଲୋଭ ପାଇଁ ଠାକରେ ବିଜେପିକୁ ଧୋକା ଦେଇଥିଲେ ବୋଲି ନଡ୍ଡା କହିଛନ୍ତି। କ୍ଷମତା ପାଇଁ ଉଦ୍ଧବ ଠାକରେ ନିଜ ଆଦର୍ଶ ସହ ସାଲିସ କରିଥିବା ସେ କହିଛନ୍ତି । ଶ୍ରୀ ନଡ୍ଡା ଆହୁରି କହିଛନ୍ତି ଯେ, ଉଦ୍ଧବ ଠାକରେ ମହାରାଷ୍ଟ୍ରର ସାଂସ୍କୃତିକ ଭାବନାକୁ ଆଘାତ ଦେଇଛନ୍ତି ଏବଂ ରାଜନୀତିରେ ଭାରତୀୟ ସଂସ୍କୃତିର ମହତ୍ତ୍ୱ ବୁଝିବାକୁ ଅମଙ୍ଗ ହେଉଥିବା ଲୋକଙ୍କ ସହ ଛିଡା ହୋଇଛନ୍ତି। ତେଣୁ ସେମାନଙ୍କୁ ଏକ ଉଚିତ ଜବାବ ମିଳିଛି ବୋଲି ସେ କହିଛନ୍ତି।

Related Posts