ନୂଆଦିଲ୍ଲୀ: ମହାରାଷ୍ଟ୍ରର ମହାନାଟକ ରେ ଏବେ ଯବନିକା ପଡିଛି । ମହାରାଷ୍ଟ୍ର କୁ ତାର ନୂଆ ମୁଖ୍ୟମନ୍ତ୍ରୀ ମିଳିଛି । ଏକନାଥ ସିନ୍ଦେ ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶିବସେନାର ବିଦ୍ରୋହୀ ବିଧାୟକଙ୍କ ବିଜେପି ସହ ସରକାର ଗଠନ କରିଛନ୍ତି । ଏହାମଧ୍ୟରେ ଜଣେ ବିଜେପି ନେତା ଶିବସେନାର ସାଂସଦ ମଧ୍ୟ ସିନ୍ଦେଙ୍କ ଗୋଷ୍ଠୀରେ ମିଶିବେ ବୋଲି ସଙ୍କେତ ଦେଇଛନ୍ତି । ୧୯ ସାଂସଦଙ୍କ ମଧ୍ୟରୁ ୧୨ ଜଣ ଉଦ୍ଧବ ଠାକରେଙ୍କ ଟିମ୍ ଛାଡିବେ ବୋଲି ସେ କହିଛନ୍ତି । ତେବେ ଶିବସେନାର ଜଣେ ସାଂସଦ ଉଦ୍ଧବ ଠାକରେ ସିନ୍ଦେଙ୍କ ସହ ଆଲୋଚନା କରି କଳି ତୁଟାନ୍ତୁ ବୋଲି କହିଛନ୍ତି ।
ରିପୋର୍ଟ ଅନୁସାରେ, ବିଜେପିର ଜଣେ କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି ଯେ, ଶିବସେନା କଳିର ପ୍ରଭାବ ସାଂସଦଙ୍କ ଉପରେ ପଡୁଛି । ୧୯ ସାଂସଦଙ୍କ ମଧ୍ୟରୁ ୧୨ ଜଣ ଟିମ୍ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପଟେ ଉଦ୍ଧବ ଠାକରେ ଦଳୀୟ ସାଂସଦଙ୍କୁ ନେଇ ଶୁକ୍ରବାର ଏକ ବୈଠତ ଡାକିଥିଲେ । ଶିବସେନା ସୂତ୍ରାନୁସାରେ, ଦଳର ବରିଷ୍ଠ ସାଂସଦ ସିନ୍ଦେଙ୍କ ଗୋଷ୍ଠୀ ସହ ହାତ ମିଳାଇବାକୁ ପରାମର୍ଶ ଦେଇଛନ୍ତି । ତେବେ ଠାକରେ କଣ କହିଛନ୍ତି ତାହା ଜଣା ପଡିନାହିଁ ।
ଉଦ୍ଧବ ଡାକିଥିବା ଏହି ବୈଠକରେ ତିନିଜଣ ସାଂସଦ ଉପସ୍ଥିତ ନଥିଲେ । ଏକନାଥ ସିନ୍ଦେଙ୍କ ପୁତ୍ର ଶ୍ରୀକାନ୍ତ ସିନ୍ଦେ, ଭାବନା ଗବଲୀ ଓ ରାଜନ ବିଚାରେ ବୈଠକରୁ ନିଜକୁ ଦୂରରେ ରଖିଥିଲେ । ଭାବନା ଏବେ ଇଡି ସ୍କାନରରେ ରହିଛନ୍ତି ।
ଶ୍ରୀକାନ୍ତ ବାପାଙ୍କ ସମର୍ଥନରେ ଅଛନ୍ତି । ଆହୁରିମଧ୍ୟ ଯବତମାଳରୁ ପାଞ୍ଚ ଥରର ସାଂସଦ ଭାବନୀ ଉଦ୍ଧବଙ୍କୁ ପତ୍ର ଲେଖି ହିନ୍ଦୁତ୍ୱ ଉପରେ ବିଚାର କରିବାକୁ କହିଥିଲେ । ଠାଣେରୁ ସାଂସଦ ରାଜନ ମଧ୍ୟ ସିନ୍ଦେଙ୍କୁ ଖୁବ୍ ସମ୍ମାନ ଦିଅନ୍ତି ।
ଶିବସେନା ସାଂସଦଙ୍କ ସଫେଇ
ବୈଠକ ପରେ ଶିବସେନାର ଲୋକସଭା ନେତା ବିନାୟକ ରାଓ୍ୱତ କହିଥିଲେ ଯେ, ବିଦ୍ରୋହର ପ୍ରଭାବ ଦଳୀୟ ସାଂସଦଙ୍କ ଉପରେ ପଡିବ ନାହିଁ । ଉସମାନାବାଦର ସାଂସଦ ଓମରାଜେ ନିମ୍ବାଲକର ଉଦ୍ଧବଙ୍କ ସହ ରହିଥିବା କହିଛନ୍ତି । ଏପରିକି ସେମାନେ ଦଳର ନିର୍ଦ୍ଦେଶ ମୁତାବକ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବେ ବୋଲି କହିଛନ୍ତି ।
