‘ମୁଗାମ୍ବୋ ଖୁସ୍ ହୁଆ’; ଶିବସେନା ବିବାଦ ମଧ୍ୟରେ ଅମିତ ଶାହାଙ୍କୁ କଟାକ୍ଷ କଲେ ଉଦ୍ଧବ ଠାକରେ

ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ପ୍ରଥମେ ସରକାର ଓ ପରେ ଦଳର ନାମ ଓ ଚିହ୍ନ ଉଦ୍ଧବ ଠାକରେଙ୍କଠାରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ନିକଟକୁ ଚାଲିଯିବା ପରେ ଏବେ ମହାରାଷ୍ଟ୍ରରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଦଳୀୟ ଚିହ୍ନ ହାତରୁ ଚାଲିଗଲା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ଶିବସେନାର ନାମ ଓ ଚିହ୍ନକୁ ନେଇ ବିବାଦ ଓ ଏହି ସମ୍ପୂର୍ଣ୍ଣ ଘଟଣାର ପରଦା ପଛର ବିଜେପିର ଅମିତ ଶାହା ମୁଖ୍ୟ ନାୟକ ଥିବା ଉଦ୍ଧବ ଠାକରେ କହିଛନ୍ତି। ଶିବସେନାର ନାମ ଓ ଚିହ୍ନ ସିନ୍ଦେ ଗୋଷ୍ଠୀଙ୍କ ନିକଟକୁ ଚାଲିଯିବା ପରେ ଅମିତ୍ ଶାହା ଏକ ସଭାରେ ‘କ୍ଷୀର କ୍ଷୀର ଆଉ ପାଣି ପାଣି ହୋଇଗଲା’ ବୋଲି କହିଥିଲେ। ଏହାର ଜବାବ୍ ଦେବାକୁ ଯାଇ ମିଷ୍ଟର ଇଣ୍ଡିଆର ଫିଲ୍ମର ଅମ୍ରେଶ ପୁରୀଙ୍କ ଚରିତ୍ରକୁ ଉଦ୍ଧାର କରି ଅମିତ ଶହାଙ୍କ ଉଦ୍ଦେଶ୍ୟରରେ ‘ମୁଗାମ୍ବୋ ଖୁସ ହୁଆ’ ବୋଲି କଟାକ୍ଷ କରିଛନ୍ତି ଉଦ୍ଧବ।

ସେହିପରି ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିନ୍ତି। ସେ କହିଛନ୍ତି ଯେ, ୧୯୯୩ରେ ମୁମ୍ବାଇରେ ସିରିଏଲ ବ୍ଲାଷ୍ଟରେ ମୁମ୍ବାଇକୁ ଶିବସେନା ହିଁ ବଞ୍ଚେଇ ଥିଲା। ଏବେ ଯେଉଁମାନେ ହିନ୍ଦୁତ୍ୱ କଥା କହୁଛନ୍ତି ସେତେବେଳେ ସେମାନେ କେଉଁଠି ଥିଲେ। ସେମାନଙ୍କ ଠିକଣା ଜଣା ନଥିଲା । ଏବେ ସେମାନେ ୫୬ ଇଞ୍ଚର ଛାତି ଦେଖାଉଛନ୍ତି। ମୁମ୍ବାଇ ବ୍ଲାଷ୍ଟରେ ବେଳେ ୫୬ ଇଞ୍ଚର ଛାତି କେଉଁଠି ଥିଲା। ଠାକ୍‌ରେ କହିଛନ୍ତି, ଗତ ୭୫ ବର୍ଷ ମଧ୍ୟରେ ଏଭଳି ଝଟ୍‌କା କେବେ କୌଣସି ଦଳକୁ ଲାଗିନି। ଯଦି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବୁଛନ୍ତି ଯେ ସେମାନଙ୍କ ଦ୍ବାରା ଦାସ ଭଳି ପରିଚାଳିତ କିଛି ସରକାରୀ ସଂସ୍ଥା ଶିବସେନାକୁ ଶେଷ କରିଦେବେ ତେବେ ଏହା ସମ୍ଭବ ନୁହେଁ। ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସେ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ଠାକ୍‌ରେ କହିଛନ୍ତି, ମହାରାଷ୍ଟ୍ରକୁ ଆସିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାଲାସାହେବ ଠାକ୍‌ରେଙ୍କ ମାସ୍କ ପିନ୍ଧିବା ଆବଶ୍ୟକ ପଡ଼ିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସି‌ନ୍ଦେଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି। ସିନ୍ଦେଙ୍କ ‌ନେତୃତ୍ୱାଧୀନ ଶିବସେନାକୁ ସିଧାସଳଖ ଚ୍ୟାଲେଂଜ କରି ଠାକରେ କହିଛନ୍ତି, ଚୋରମାନଙ୍କୁ ପବିତ୍ର ‘ଧନୁ ଏବଂ ତୀର’ ଚିହ୍ନ ମିଳିଛି। ସେମାନେ ମଶାଲ ଚିହ୍ନକୁ ବି ନେଇଯି‌ବାକୁ ଷଡ଼ଯନ୍ତ୍ର କରୁଛନ୍ତି। ତେବେ ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ କରୁଛି, ଯଦି ସେମାନେ ମଣିଷ ତେବେ ସେମାନେ ଚୋରି କରିନେଇଥିବା‌ ଧନୁ ଏବଂ ତୀର ଚିହ୍ନ ସହ ଆମ ସାମ୍ନାକୁ ଆସନ୍ତୁ।

ଅନ୍ୟପଟେ ଶିବସେନାର ନାମ ଓ ଚିହ୍ନ କଣ ହେବ ଏବଂ ଉଦ୍ଧବ କଣ ନିଷ୍ପତ୍ତି ନେବେ ସେଥିରୁ ନିଜକୁ ଦୂରେଇ ରଖିଛନ୍ତି ଏନସିପି ମୁଖ୍ୟ ଶରଦ ଯାଦବ। ବାସ୍ତବରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ବୁଝାଇଥିଲେ ଯେ ନୂଆ ଚିହ୍ନ ଗ୍ରହଣ କର । ସେ ଉଦ୍ଧବଙ୍କୁ କହିଥିଲେ ଯେ, ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିଶେଷ କୌଣସି ପ୍ରଭାବ ପକାଇବନି ଏବଂ ଲୋକମାନେ ନୂଆ ଚିହ୍ନକୁ ଗ୍ରହଣ କରିନେବେ। ଏହା ନିର୍ବାଚନ କମିସନଙ୍କ ନିଷ୍ପତ୍ତି। ଥ‌ରେ ନିଷ୍ପତ୍ତି ନିଆଗଲେ ତା’ ଉପରେ କୌଣସି ଆଲୋଚନା ହେବା ଉଚିତ ନୁହେଁ। ଏହି ନିଷ୍ପତ୍ତିକୁ ଗ୍ରହଣ କରିବାକୁ ହେବ ଏବଂ ନୂଆ ଚିହ୍ନ ସହ ଆଗକୁ ବଢିବାକୁ ପଡ଼ିବ। ପୁରୁଣା ଚିହ୍ନ କୌଣସି ବଡ଼ ପ୍ରଭାବ ପକାଇବନି ଏବଂ ଲୋକମାନେ ନୂଆ ଚିହ୍ନକୁ ଗ୍ରହଣ କରିନେବେ। ତେବେ ଉଦ୍ଧବ ସୁପ୍ରିମକୋର୍ଟ ଯିବାକୁ ଅଡ଼ି ବସିଥିବାବେଳେ ଏବେ ଶରଦ ଏହି ଘଟଣାରୁ ନିଜେ ଦୂରେଇ ଯାଇଛନ୍ତି।

Related Posts