ଶିବସେନା ବିବାଦ; ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଉଦ୍ଧବ ଠାକରେ

ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେଲା ଉଦ୍ଧବ ଠାକରେଙ୍କ ଗୋଷ୍ଠୀ। ନିର୍ବାଚନ ଆୟୋଗ ନିକଟରେ ବାଲା ସାହେବ ଠାକରେଙ୍କ ଦ୍ଵାରା ଗଠିତ ଶିବସେନାର ନାମ ଏବଂ ନିର୍ବାଚନୀ ଚିହ୍ନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତ୍ଵତ୍ଵାଧୀନ ଦଳକୁ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ଉଦ୍ଧବ ଠାକରେଙ୍କ ଦଳ ଶିବସେନାର ନିର୍ବାଚନୀ ନାମ ଏବଂ ଚିହ୍ନ ବ୍ୟବହାର କରିବାକୁ ଅଯୋଗ୍ୟ ବୋଲି ଇସି କହିଥିଲେ।

ତୁରନ୍ତ ମାମଲାର ଶୁଣାଣି କରାଯାଉ ବୋଲି ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କ ଖଣ୍ଡପୀଠ ସମ୍ମୁଖରେ ଅନୁରୋଧ କରିଛି ଉଦ୍ଧବଙ୍କ ଗୋଷ୍ଠୀ। ତେବେ ସର୍ବୋଚ୍ଚ ନ୍ୟାୟାଳୟରେ କେବେ ଏହାର ଶୁଣାଣି କରାଯିବ ତାହା ସ୍ପଷ୍ଟ ହୋଇ ନାହିଁ। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଆସନ୍ତାକାଲି ମାମଲା ସୂଚୀବଦ୍ଧ କରାଯିବା ସହ ଜରୁରୀକାଳୀନ ଶୁଣାଣି କରାଯିବା ଉପରେ ବିଚାର କରାଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ନିର୍ବାଚନ ଆୟୋଗ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଜୋରଦାର ଝଟକା ଦେଇଥିଲେ। ଇସି ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଗୋଷ୍ଠୀକୁ ଶିବସେନାର ନାମ ଏବଂ ଚିହ୍ନ ପ୍ରଦାନ କରିଥିଲେ। ଏକନାଥଙ୍କ ଗୋଷ୍ଠୀରେ ଶିବସେନାର ୫୫ ବିଧାୟକଙ୍କ ମଧ୍ୟରୁ ୪୦ ଏବଂ ୧୮ ସାଂସଦଙ୍କ ମଧ୍ୟରୁ ୧୩ ସାଂସଦ ରହିଛନ୍ତି।

Related Posts