ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) :ପୁଣି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଝଟକା ଲାଗିଛି। ରାଜନୈତିକ ଅସ୍ତିତ୍ୱ ରକ୍ଷା କରିବାର ଆହ୍ବାନ ବର୍ତ୍ତମାନ ଉଦ୍ଧବ ଠାକରେଙ୍କ ସାମ୍ନାରେ ସୃଷ୍ଟି ହୋଇଛି। ୫୫ ଶିବସେନା ବିଧାୟକ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳକୁ ସମର୍ଥନ କରୁଛନ୍ତି ଏବଂ କେବଳ ୧୫ ବିଧାୟକ ଉଦ୍ଧବ ଠାକରେଙ୍କ ସହ ଅଛନ୍ତି। ସେପଟେ ଖବର ଆସିଛି ଯେ ତାଙ୍କ ଦଳର ୧୫ଜଣ ସାଂସଦ ଏକନାଥ ଶିନ୍ଦେଙ୍କୁ ସାକ୍ଷାତ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏହି ସାଂସଦ ମାନେ ଏକନାଥ ଶିନ୍ଦେଙ୍କୁ ଭେଟିଥିବା କୁହାଯାଉଛି। ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣା ପଡ଼ିଛି। ଏହି ବୈଠକରେ ଶିବସେନର ଲୋକସଭା ରେ ଥିବା ୧୯ ଜଣ ସାଂସଦଙ୍କ ମଧ୍ୟରୁ ଯୋଗ ଦେଇଥିବା ୧୫ ଜଣ ଉଦ୍ଧବଙ୍କୁ ଛାଡିବେକି ନାହିଁ ସେନେଇ କଳ୍ପନା ଜଳ୍ପନାର ଜାରି ରହିଛିି।
ସୂଚନା ଅନୁସାରେ ଏହି ସାଂସଦ ମାନଙ୍କର ଚାପ ଫଳରେ ଉଦ୍ଧବ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ତେବେ ଏହା ପରେ ମଧ୍ୟ ସାଂସଦ ମାନେ ଶିନ୍ଦେଙ୍କୁ ଭେଟିବା ଖବର ଉଦ୍ଧବଙ୍କୁ ଏକ ବଡ଼ ଝଟକା ଦେଇଛି।
