ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) :ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ୪ବିଶ୍ବସ୍ତଙ୍କ ପାଇଁ ସମସ୍ତ ବିଧାୟକ ବିଦ୍ରୋହ କଲେ ବୋଲି ମନ୍ତବ୍ୟ ଦେଇଛନ୍ତି ଔରଙ୍ଗାବାଦ ଜିଲ୍ଲା ର ଜଣେ ବିଦ୍ରୋହୀ ବିଧାୟକ । ସେ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଘେରି ରହିଥିବା ୪ଜଣଙ୍କ ବିଦ୍ରୋହ ପାଇଁ ଦାୟୀ କରିବା ସହ ଏହି ୪ଜଣଙ୍କ ପାଇଁ ମହାରାଷ୍ଟ୍ରରେ ସରକାର ବଦଳିଲା ବୋଲି ସେ କହିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାର ସହଜରେ ଫ୍ଲୋର ଟେଷ୍ଟ ଜିତିବାର ଗୋଟିଏ ଦିନ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ବୈଜାପୁର ବିଧାୟକ ରମେଶ ବୋରନାରେ କହିଛନ୍ତି ଯେ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଶିବ ସୈନିକମାନେ ଖୁସି ଅଛନ୍ତି।

କାହାର ନାଁ ନନେଇ ସେ କହିଥିଲେ ଯେ, ୫୦ ଜଣ ବିଧାୟକ ସିନ୍ଦେଙ୍କୁ ସମର୍ଥନ କରିଥିଲେ। କିନ୍ତୁ ମୁଁ ଏହି ପରିସ୍ଥିତି ପାଇଁ ଉଦ୍ଧବ ଙ୍କୁ ଦାୟୀ କରିବି ନାହିଁ। ଏଥିପାଇଁ ତାଙ୍କ ଚାରିପାଖରେ ଉପସ୍ଥିତ ଥିବା ୪ଜଣ ଦାୟୀ। ଶିବସେନା ପ୍ରତିଷ୍ଠାତା ବାଲ ଠାକରେ ଆମର ଆଦର୍ଶ ଏବଂ ସବୁବେଳେ ଆମ ଆଦର୍ଶ ରହିବେ। ଠାକରେ ପରିବାର କୁ କେବେ ଭୁଲି ପାରିବି ନାହିଁ ବୋଲି ମଧ୍ୟ କହିଛନ୍ତି। ମୁଁ ସିନ୍ଦେ ଦଳରେ ଯୋଗ ଦେଇଛି। ଏହା ଦ୍ବାରା ବୈଜାପୁରର କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରିବ। ଯଦି ମୁଁ ଉଦ୍ଧବ ଙ୍କ ଗୋଷ୍ଠୀରେ ରହିଥାନ୍ତି, ତେବେ ଏହା ସମ୍ଭବ ହୋଇ ନଥାନ୍ତା। ୨୦୨୪ ନିର୍ବାଚନ ବେଳକୁ ମତେ ଭୋଟର କ୍ଷମା କରି ନଥାନ୍ତେ ବୋଲି ସେ କହିଛନ୍ତି।