
ଲଣ୍ଡନ୍: ବ୍ରିଟେନ୍ ରେ ଜାରୀ ରହିଛି ରାଜନୈତିକ ସଂକଟ । ଏହାରି ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ ପ୍ରତିଦ୍ବନ୍ଦ୍ବିତାରୁ ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଓହରି ଯାଇଛନ୍ତି। ଏହାର କାରଣ ଦର୍ଶାଇ ସେ କହିଛନ୍ତି, ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ ତାଙ୍କ ପ୍ରତି ଯଥେଷ୍ଟସଂଖ୍ୟକ ସାଂସଦମାନଙ୍କର ସମର୍ଥନ ରହିଛି। କିନ୍ତୁ, ତାହା ଅଗ୍ରଣୀ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କଠାରୁ କମ୍।
ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ଜନ୍ସନ୍ କହିଛନ୍ତି, ‘କଞ୍ଜର୍ଭେଟିଭ୍ ପାର୍ଟି’ ସଦସ୍ୟମାନଙ୍କ ସହାୟତାରେ ନିର୍ବାଚନରେ ବିଜୟମଣ୍ଡିତ ହେବାର ଭଲ ସୁଯୋଗ ଅଛି। ଶୁକ୍ରବାର ଦିନ ମୁଁ ‘ଡାଉନିଙ୍ଗ୍ ଷ୍ଟ୍ରିଟ୍’କୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରି ପାରିଥାଆନ୍ତି। କିନ୍ତୁ, ଶେଷ ଆଡ଼କୁ ଠିକ୍ କଲି ଏଇଟା ଭଲ ହେବନାହିଁ। ପାର୍ଲାମେଣ୍ଟ୍ରେ ଦଳର ଏକତା ନ ରହିଲେ ଶାସନ ଫଳପ୍ରଦ ହେବନାହିଁ।
ପୁଣି ପ୍ରଧାନମନ୍ତ୍ରୀ ହେବେ ବୋଲି ଔପଚାରିକ ଭାବେ ଘୋଷଣା କରି ନ ଥିବା ଜନ୍ସନ୍, ତାଙ୍କୁ (ଜନ୍ସନ୍ଙ୍କୁ) ସମର୍ଥନ କରନ୍ତୁ ବୋଲି ‘କଞ୍ଜର୍ଭେଟିଭ୍’ ସାଂସଦମାନଙ୍କୁ ଶନିବାର ଦିନ ବୁଝାଇବା ପରେ ରବିବାର ଦିନ ଘୋଷଣା କରିଥିଲେ କି, ତାଙ୍କ ପ୍ରତି ୧୦୨ଜଣ ସାଂସଦଙ୍କ ସମର୍ଥନ ରହିଛି।
ପ୍ରତିଦ୍ବନ୍ଦ୍ବିତାର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ନିମନ୍ତେ ସୋମବାର ସୁଦ୍ଧା ତାଙ୍କର ୧୦୦ ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିଲା।
ପ୍ରଧାନମନ୍ତ୍ରୀ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଇଥିବାରୁ ବ୍ରିଟେନ୍ର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଆଜି ବୋରିସ୍ ଜନ୍ସନଙ୍କୁ ପ୍ରଶଂସା କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି: ବୋରିସ୍ ଜନ୍ସନ୍ ‘ବ୍ରେକ୍ସିଟ୍’ ପରିତ୍ୟାଗ କଲେ ଓ ଟିକାକରଣ ବ୍ୟବସ୍ଥା କଲେ। ଆମେ କେବେ ସମ୍ମୁଖୀନ ହୋଇ ନ ଥିବା କଠିନ ପରିସ୍ଥିତିରେ ସେ ଆମ ଦେଶର ନେତୃତ୍ବ ଦେଇଛନ୍ତି ଓ ପୁଟିନ୍ ଏବଂ ୟୁକ୍ରେନ୍ରେ ତାଙ୍କର ନୃଶଂସ ଯୁଦ୍ଧର ମୁକାବିଲା କରିଛନ୍ତି। ସେଥିପାଇଁ ଆମେ ତାଙ୍କ ନିକଟରେ ଚିର କୃତଜ୍ଞ ।